
ଭଂଜନଗର – ୦୯/୦୨ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ମାମୁଁ ଘରକୁ ବୁଲିବାକୁ ଯାଇଥିଲେ । ଅପରାହ୍ନରେ ଗାଁକୁ ଲାଗି ରହିଥିବା ନଦୀକୁ ଗାଧୋଇବାକୁ ଯାଇଥିଲେ। । ତା”ପରେ ଘରକୁ ଫେରିନଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଗ୍ରାମବାସୀ ଖୋଜାଖୋଜି କଲେ । କିନ୍ତୁ ନଦୀ ହିଡ଼ରୁ ତାଙ୍କର ପୋଷାକ ମିଳିଥିଲେ ମଧ୍ଯ, ସଂପୃକ୍ତ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିଲା । ପରଦିନ ପୁଣି ଖୋଜାଖୋଜି କରିବା ପରେ ନଦୀର ଗଣ୍ଡ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଧାର ହୋଇଥିଲା । ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣିପଲ୍ଲୀ ପଞ୍ଚାୟତର ଓରିଗଡ ଗାଁ ରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ, ନିକଟସ୍ଥ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିରୋଳି ଗାଁର ବାବୁଲା କୁମାର ନାୟକ (୩୬) । ସୂଚନା ପ୍ରକାରେ, ବାବୁଲା ରାଉରକେଲାରେ ରହୁଥିଲେ । ଗତ କିଛି ଦିନ ପୂର୍ବରୁ ତାଙ୍କ ବଡ଼ବାପାଙ୍କ ଝିଅ ବାହାଘର ହେଉଥିବାରୁ ଜିରୋଳି ଗାଁ କୁ ଆସିଥିଲେ । ଭୋଜି କାର୍ଯ୍ୟ ସରିବା ପରେ, ପରବର୍ତ୍ତୀ ସମୟରେ ମାମୁଁ ଘର ଗାଁ ଓରିଗଡ କୁ ବୁଲିବାକୁ ଯାଇଥିଲେ । ରବିବାର ଅପରାହ୍ନରେ ସେ ନିକଟସ୍ଥ ବଡନଦୀ କୁ ଗାଧୋଇବାକୁ ଯାଇ ଏଭଳି ଅଘଟଣ ଘଟିଥିଲା । ଏନେଇ ସମ୍ପର୍କୀୟଙ୍କ ପକ୍ଷରୁ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ମୃତ ଦେହକୁ ଜବତ କରି ଭଂଜନଗର ମେଡିକାଲରେ ବ୍ୟବଛେଦ ପରେ, ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଘଟଣାର ତଦନ୍ତ ଚଳାଇଛି ଗାଙ୍ଗପୁର ଥାନା ପୋଲିସ ।