ମନ୍ଦିର ପୂଜାକୁ ନେଇ ସବର୍ଣ୍ଣ -ଅସବର୍ଣ୍ଣ ବିବାଦ : ଶାନ୍ତି କମିଟି ବୈଠକ ବିଫଳ ୭୫ ଜଣଙ୍କ ନାମରେ ତାରାସିଂ ଥାନାରେ ଏତଲା

ଭଞ୍ଜନଗର ୧୮/୦୩ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ପେଟାପଦର ଗ୍ରାମରେ ଗ୍ରାମଦେବତୀଙ୍କ ପୂଜାକୁ ନେଇ ଦୀର୍ଘ ବର୍ଷର ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଲାଗିରହିଥିବା ଏହି ବିବାଦର ସମାଧାନ ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି।

ପେଟାପଦର ଗ୍ରାମଦେବତୀ ମନ୍ଦିରରେ ଉଭୟ ଗୋଷ୍ଠୀ ପୂଜାର୍ଚ୍ଚନା କରନ୍ତି। ମାତ୍ର ସମ୍ପ୍ରତି ଗୋଟିଏ ଗୋଷ୍ଠୀ ସେଠାରେ ଏକ ପୃଥକ ମନ୍ଦିର ନିର୍ମାଣ କରି ପୂଜା କରିବାକୁ ଚାହିଁବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବିବାଦ ବଢୁଥିବା ଦେଖି ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ୱରେ ବୁଧବାର ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଉଭୟ ପକ୍ଷକୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଦୀର୍ଘ ସମୟର ଆଲୋଚନା ପରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମାଧାନ ବାହାରି ପାରି ନ ଥିଲା।

ସମାଧାନ ନହେବାରୁ ପୋଲିସ ଉଭୟ ପକ୍ଷର ଏତଲାକୁ ଭିତ୍ତି କରି ଦୁଇଟି ପୃଥକ ମାମଲା ରୁଜୁ କରିଛି। ଏହି ଘଟଣାରେ ଉଭୟ ଗୋଷ୍ଠୀର ସମୁଦାୟ ୭୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହା ଏକ ସିଭିଲ୍ (ସିଭିଲ ) ବିବାଦ ହୋଇଥିବାରୁ ଏଥିରେ ପ୍ରଶାସନିକ ହସ୍ତକ୍ଷେପ ଜରୁରୀ ବୋଲି ପୋଲିସ ଅନୁଭବ କରିଛି। ଏନେଇ ପୋଲିସ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି, ଯାହାଦ୍ୱାରା ପ୍ରଶାସନିକ ସ୍ତରରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇପାରିବ।