ଭଞ୍ଜନଗର ପୌରପରିଷଦ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ଭଞ୍ଜନଗର ୦୬/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟପାନୀୟ, ପୋଷାକପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି। ଏହି ଅବସରରେ ଭଞ୍ଜନଗର ପୌର ପରିଷଦ ପକ୍ଷରୁ ସୋମବାର ସ୍ବଚ୍ଛତା ଅଭିଯାନ ହାତକୁ ନିଆଯାଇଛି।ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଙ୍କ ସମେତ ସଫେଇ କର୍ମଚାରୀ ମାନେ ସହରର ଠାକୁରାଣୀ ମନ୍ଦିର, ଜଗନ୍ନାଥ ମନ୍ଦିର,ବ୍ରାହ୍ମଣ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପରିସରରେ ସଫେଇ କରିଥିଲେ।

କାର୍ଯ୍ୟକ୍ରମ ଅନୁସାରେ, ଏପ୍ରିଲ ୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ‘ଉତ୍କଳ ଦିବସ’ ପାଳନ କରାଯାଇଥିବା ବେଳେ ଏପ୍ରିଲ ୨ରେ ବିଦ୍ୟାଳୟ ଗୁଡ଼ିକରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଥିବା ଶିଶୁଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ଖଡ଼ି ଛୁଆଁ ଦିବସ’ ପାଳନ କରାଯାଇଛି। ସେହିଭଳି ଏପ୍ରିଲ ୩ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ ଆମ ପରିଚୟ ଦିବସ’, ଏପ୍ରିଲ ୪ରେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ‘ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ’ ପଦଯାତ୍ରା ଆୟୋଜନ ହେବା ସହ ଏପ୍ରିଲ ୫ରେ ‘ଫିଟ୍ ଇଣ୍ଡିଆ ଓ ଫିଟ୍ ଓଡ଼ିଶା’ର ଲକ୍ଷ୍ୟକୁ ନେଇ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ଐତିହ୍ୟସ୍ଥଳୀ ନିକଟରେ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ ହୋଇଥିଲା। ୬ରେ ସ୍ବଚ୍ଛତା ଅଭିଯାନ ହାତକୁ ନିଆଯାଇଥିବା ବେଳେ ଏପ୍ରିଲ ୭ରେ ସଂସ୍କୃତି ବିଭାଗ ପକ୍ଷରୁ ‘ଶିଶୁକଥା ଦିବସ’ ପାଳନ କରାଯିବ। ଏପ୍ରିଲ ୮ରେ ସ୍ବାସ୍ଥ୍ୟ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ରକ୍ତଦାନ ଅଭିଯାନ’ ଆୟୋଜନ କରାଯିବା ସହ ୯ରେ ‘ଆସ ବହିଟିଏ କିଣିବା ଅଭିଯାନ’ ଏବଂ ୧୦ରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜନ ହେବ। ୧୧ରେ ‘ଅମୃତପିଢ଼ି ସମାରୋହ’, ୧୨ରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମ ହେବ। ସେହିଭଳି ୧୩ ତାରିଖରେ ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ଆମ ରୁଚି ଆମ ଖାଦ୍ୟ ଦିବସ’ ପାଳନ କରାଯିବ। ଶେଷ ଦିନରେ ସାରା ରାଜ୍ୟରେ ‘ଓଡ଼ିଆ ନବବର୍ଷ’ ପାଳନ କରାଯିବ।