
ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ଵାର ପୌରପାଳିକାରେ ଦିନକୁ ଦିନ ବଢ଼ୁଥିବା ଦୁର୍ନୀତି ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତାର ବିଷୟ ହୋଇଉଠିଛି। ସରକାରୀ ବ୍ୟବସ୍ଥା ପ୍ରତି ଆଶା ରଖିଥିବା ଲୋକମାନେ ଏବେ ନିରାଶାରେ ଡୁବିଯାଉଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଓ କଠୋର କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ, ଚୌଦ୍ଵାର ପୌରପାଳିକାରେ ଏହାର ସ୍ପଷ୍ଟ ଅବହେଳା ଦେଖିବାକୁ ମିଳୁଛି। ବିପରୀତରେ, ଦୁର୍ନୀତିକୁ ରୋକିବାରେ ସଚେତନ ଥିବା ଯୋଗାଣ ଅଧିକାରୀଙ୍କୁ କାର୍ଯ୍ୟରୁ ବଞ୍ଚିତ କରାଯାଇଥିବା ଘଟଣା ଆହୁରି ସନ୍ଦେହ ସୃଷ୍ଟି କରୁଛି।
କୌଣସି ସ୍ପଷ୍ଟ ଅଭିଯୋଗ ନଥିବା ସତ୍ତ୍ୱେ ଏପରି ପଦକ୍ଷେପ ପୌର ପ୍ରଶାସନର କାର୍ଯ୍ୟପ୍ରଣାଳୀକୁ ପ୍ରଶ୍ନର ସମ୍ମୁଖୀନ କରିଛି। ପୌର ଅଧିକାରୀଙ୍କ ନିଷ୍ପତି ଦେଖିଲେ ଲାଗୁଛି ଯେ ପୌରପାଳିକାଟି ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଭଳି ପରିଚାଳିତ ହେଉଛି।ଏହା ସହ ଯୋଗାଣ ବିଭାଗରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କ ନାମରେ ଗୁରୁତର ଅଭିଯୋଗ ଶୁଣିବାକୁ ମିଳିଛି । ସେ ପ୍ରତ୍ୟେକ ଡିଲରମାନଙ୍କୁ ୧୫ ହଜାର ଟଙ୍କା ଦାବି କରିଥିବା ଚର୍ଚ୍ଚା ଜୋରଦାର ହୋଇଛି। ଏହା ସହ କେତେକ ଡିଲର ଏହି ରାଶି ଦେଇଥିବା କଥା ମଧ୍ୟ ସାମ୍ନାକୁ ଆସୁଛି, ଯାହା ଯୋଗାଣ ଅଧିକାରୀଙ୍କ ନାମରେ ଆଦାୟ ହେଉଅଛି ମାତ୍ର ଅଧିକାରୀ ଏହାକୁ ବେଆଇନ କହିବା ଘଟଣାକୁ ଆହୁରି ଗମ୍ଭୀର କରିଛି।ଦୀର୍ଘଦିନ ଧରି ଏଠାରେ ରହି କାମ କରୁଥିବା ଏହି କର୍ମଚାରୀ କିଛି ପାରିଷଦଙ୍କ ସହ ମିଳିତ ହୋଇ ନିଜ ଇଚ୍ଛାମତେ କାର୍ଯ୍ୟ ଚଳାଇ ଆସୁଥିବା ଅଭିଯୋଗ ମଧ୍ୟ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏହା ପଛରେ କଣ ରହିଛି ସତ୍ୟ? କିଏ ଏହାକୁ ସହାୟତା କରୁଛି? ଏବଂ କେବେ ସରକାର ଏହା ଉପରେ ଦୃଷ୍ଟି ଦେବ?