
ଭୁବନେଶ୍ୱର (ଓଡ଼ିଶା ଟୁଡେ): ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ବିଭିନ୍ନ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟର ଏକ ବିଶେଷ ସଚେତନତା ପଦକ୍ଷେପ- ‘ଓଡ଼ିଆରେ ନାମ ଫଳକ ଲେଖା’ ଅଭିଯାନ ରାଲି କରାଯାଉଛି । ଏହା ଅଧୀନରେ ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ନିର୍ଭୁଲ ଏବଂ ସ୍ପଷ୍ଟ ଭାବେ ଲେଖିବାକୁ ଆହ୍ୱାନ ଦିଆଯାଉଛି। ବର୍ତ୍ତମାନ ୨୦୨୬-୨୭ ବର୍ଷ ଠାରୁ ବିଭିନ୍ନ ମହାନଗର ନିଗମ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଆସୁଥିବା ବାଣିଜ୍ୟିକ ଅନୁଷ୍ଠାନ ଗୁଡିକର ଟ୍ରେଡ ଲାଇସେନ୍ସ ବା ବ୍ୟବସାୟିକ ପ୍ରମାଣପତ୍ର ପାଇଁ ଓଡ଼ିଆରେ ନାମ ଫଳକ ଲେଖା କୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନେ ନୂତନ ଭାବେ ଟ୍ରେଡ ଲାଇସେନ୍ସ ବା ବ୍ୟବସାୟିକ ପ୍ରମାଣପତ୍ର ପାଇଁ ଆବେଦନ କରିବେ କିମ୍ବା ପୂର୍ବରୁ କରିଥିବା ପ୍ରମାଣପତ୍ରର ନବୀକରଣ କରିବେ ସେମାନଙ୍କୁ ବିଭିନ୍ନ ଆବଶ୍ୟକୀୟ ତଥ୍ୟ ସହିତ ନିଜ ବାଣିଜ୍ୟିକ ଅନୁଷ୍ଠାନ ର ଓଡ଼ିଆ ନାମଫଳକ ରହିଥିବା ଫଟୋ ଅପଲୋଡ଼ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
ଏହା ଦ୍ୱାରା ଓଡ଼ିଆ ନାମଫଳକ ଲେଖା ଦ୍ୱାରା ଓଡ଼ିଆ ଭାଷା ପ୍ରଚାର ପ୍ରସାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଓଡ଼ିଆ ନାମଫଳକ ରେ କେମିତି କୌଣସି ତ୍ରୁଟି ନରହେ ସେଥିପ୍ରତି ସଜାଗ ରହିବାକୁ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥି ଅମାନ୍ୟ ପ୍ରଥମ ଥର ପାଇଁ ୫ ହଜାର ଏବଂ ଦ୍ୱିତୀୟ ଥର ଓ ପରବର୍ତ୍ତୀ ଥର ପାଇଁ ୨୦ ହଜାର ପର୍ଯ୍ୟନ୍ତ ଫାଇନ ସ୍ଥିର ହୋଇଛି । ନିର୍ଦ୍ଦେଶ ପାଳନ କରୁନଥିବା ପ୍ରତିଷ୍ଠାନ ଗୁଡିକୁ ଆଇନଗତ ବ୍ୟବସ୍ଥା ଦ୍ୱାରା ଜୋରିମାନା ଆଦାୟ କରାଯିବ ବୋଲି ଶ୍ରମ ବିଭାଗ କମିଶନର ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଦେଇଛନ୍ତି ।
ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ହେବା ର ଅର୍ଥ ଏହା ନୁହେଁ ଯେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଅନ୍ୟ ଭାଷାରେ ନାମଫଳକ ଲଗାଇ ପାରିବେନି । ଓଡ଼ିଆ ବ୍ୟତୀତ ଅନ୍ୟ ଭାଷା ଭାଷୀ ଲୋକ ମଧ୍ୟ ଓଡ଼ିଶାରେ ବାସ କରନ୍ତି ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ ନିଜର ଜରୁରୀ କାର୍ଯ୍ୟ କରିଥାନ୍ତି । ସେଥିପାଇଁ ବିଭିନ୍ନ ପ୍ରତିଷ୍ଠାନର ନାମଫଳକ ରେ ଇଂରାଜୀ ଏବଂ ହିନ୍ଦୀ ଭାଷାର ବ୍ୟବହାର ଦେଖିବାକୁ ମିଳେ । ବିଭିନ୍ନ ସ୍ଥାନରେ ତେଲୁଗୁ ଏବଂ ବଙ୍ଗଳା ଭାଷାର ନାମ ଫଳକ ମଧ୍ୟ ଦେଖିବାକୁ ମିଳୁଛି ।
ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ ହେବା ଦ୍ୱାରା ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଅନ୍ୟ ଭାଷାର ଫଳକ ଲଗାଇ ପାରିବେ । କିନ୍ତୁ ତା ସହିତ ଓଡ଼ିଆ ଭାଷାରେ ନିଜର ଫଳକ ନିଶ୍ଚିତ ଭାବରେ ଲେଖିବେ । ଯଦ୍ୱାରା ଇଂରାଜୀ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷା/ ଲିପି ସହ ପରିଚିତ ନଥିବା ଓଡ଼ିଆ ଲୋକଙ୍କୁ ଆବଶ୍ୟକ ଅନୁଯାୟୀ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ରେ ପହଁଞ୍ଚି ନିଜର ଜରୁରୀ କାର୍ଯ୍ୟ କରିବାରେ ଅସୁବିଧା ହେବ ନାହିଁ।