ଭଞ୍ଜନଗର: ଗ୍ୟାସ୍ ନିଆଁରେ ପୋଡି ହୋଇ ମହିଳା ଗୁରୁତର

ଭଞ୍ଜନଗର: ୧୧/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହାତ ଜଣକ ହେଲେ ବିଜେତା ସେନାପତି(୩୫) ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି।ସୂଚନା ଅନୁଯାୟୀ, କୁଲାଡର ଚନ୍ଦ୍ର ଶେଖର ସେନାପତି ପରିବାର ନେଇ ବାଗ୍‌ଦେବୀ ରୋଡରେ ରହୁଥିଲେ। ଆଜି ବିଦ୍ୟୁତ୍‌ ନଥିବା ବେଳେ ବିଜେତା ଗ୍ୟାସରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ କୌଣସି କାରଣରୁ ଗ୍ୟାସ ଲିକ ଯୋଗୁ ନିଆଁ ଲାଗି ଯାଇଥିଲା। ଫଳରେ ବିଜେତା ଗୁରୁତର ଭାବେ ପୋଡ଼ି ଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ନିଆଁ ଲାଗିବା ପରେ ତାଙ୍କ ପାଟି ଶୁଣି ପରିବାର ଲୋକେ ଏବଂ ସାହି ପଡୋଶୀ ଘରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ। ଉକ୍ତ ମହିଳାଙ୍କ ଶରୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ପୋଡ଼ି ଯାଇଥିବା ଜଣାପଡ଼ିଛି।