ମଧୁବାବୁଙ୍କୁ ଭୁଲି ଓଡ଼ିଆ ପକ୍ଷ:କ୍ୟାମେରା ସମ୍ମୁଖରେ ଗର୍ଜନ, ସତ୍ୟ ସମୟରେ ନିରବ

ଚୌଦ୍ଵାର (ଶିବବ୍ରତ ଦାସ ): ଓଡ଼ିଆ ଅସ୍ମିତାର ପର୍ବ “ଓଡ଼ିଆ ପକ୍ଷ” ଓ ପବିତ୍ର ଉତ୍କଳ ଦିବସରେ ଯେଉଁଠାରେ ଓଡ଼ିଶାର ଇତିହାସ ଓ ମହାନ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରାଯିବା ଉଚିତ୍ ସେଠାରେ ଦେଖାଗଲା ଅବହେଳା। ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ପ୍ରତିଛବି ନଥିବା ଘଟଣା ଏବେ ରାଜ୍ୟର ସାମାଜିକ ଓ ବୁଦ୍ଧିଜୀବୀ ମଣ୍ଡଳୀରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଓଡ଼ିଶା ମାନଚିତ୍ର ସହିତ ବିରପୁତ୍ରମାନଙ୍କ ଛବି ଥିବା ପୋଷ୍ଟରରେ ଅନେକଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଯିଏ ଓଡ଼ିଶାର ଗଠନରେ ଅଗ୍ରଣୀ ଭୂମିକା ନେଇଥିଲେ, ସେହି ମଧୁବାବୁଙ୍କୁ ଭୁଲିଯିବା କେବଳ ଅବହେଳା ନୁହେଁ, ଏହା ଇତିହାସ ପ୍ରତି ଅସମ୍ମାନର ସ୍ପଷ୍ଟ ଚିତ୍ର। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଉତ୍କଳ ଦିବସରେ ଶୋଭାଯାତ୍ରା କରି, କ୍ୟାମେରା ସାମ୍ନାରେ ଦଣ୍ଡାୟମାନ ହୋଇ “ମଧୁବାବୁଙ୍କୁ ଭାରତ ରତ୍ନ ଦିଆଯାଉ” ବୋଲି ଗର୍ଜନ କରୁଥିବା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ସମାଜସେବୀ ଏବେ ନିରବ କାହିଁକି? ତାଙ୍କର ସେଇ ଦାବି ସତ୍ୟର ପକ୍ଷରେ ଥିଲା, ନା କେବଳ ପ୍ରଚାର ପାଇଁ ଗୋଟିଏ ନାଟକ ମାତ୍ର? ଆଜି ଯେତେବେଳେ ଏକ ସ୍ପଷ୍ଟ ଅବହେଳା ଆମ ସାମ୍ନାରେ, ସେତେବେଳେ ତାଙ୍କ ନିରବତା ଅନେକ ପ୍ରଶ୍ନକୁ ଜନ୍ମ ଦେଉଛି। କାହିଁକି ଏହି ନିରବତା? ନା ସୁବିଧା ଦେଖି ସ୍ୱର ବଦଳା ଯାଉଛି? ସ୍ଥାନୀୟ ମତାମତ ହେଉଛି “ଯେତେବେଳେ ହାତରେ ମାଇକ୍ ଥାଏ, ସେତେବେଳେ ଗର୍ଜନ, ଯେତେବେଳେ ସତ୍ୟ କହିବା ସମୟ, ସେତେବେଳେ ନିରବତା। ଆତ୍ମଘୋଷିତ ସମାଜସେବୀଙ୍କ ଏହି ଦୁଇମୁଖୀ ଚରିତ୍ର ଆଜି ସ୍ପଷ୍ଟ ହେଉଛି। ଓଡ଼ିଆ ପକ୍ଷ କେବଳ ଉତ୍ସବ ନୁହେଁ, ଏହା ଆମର ପରିଚୟ, ଆମର ଗୌରବ, ଆମର ଇତିହାସ। ସେଠାରେ ଯଦି ମଧୁବାବୁ ଭଳି ମହାନ ବ୍ୟକ୍ତିଙ୍କୁ ଅନୁଦିଗ୍ଧ କରାଯାଏ, ତାହାଲେ ସେହି ପାଳନର ଅର୍ଥ କ’ଣ? ଏବେ ସମୟ ଆସିଛି ଆତ୍ମଘୋଷିତ ସମାଜସେବୀ ନିଜର ମୁହଁ ଖୋଲିବେ। ନା ଭୟରେ “ବର୍ଷା ଯୁଆଡେ ଛତା ସିଆଡେ” ନୀତିରେ ଚାଲି ଏହି ନିରବତା ଜାରି ରଖିବେ?