ଜନଗଣନା ବେଳେ, ସାପ କାମୁଡ଼ାରେ ଶିକ୍ଷୟିତ୍ରୀ ଗୁରୁତର

ଭଂଜନଗର – ୧୭/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଜନଗଣନା କାର୍ଯ୍ୟ କରୁଥିବା ବେଳେ, ସାପ କାମୁଡ଼ାରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଶିକ୍ଷୟିତ୍ରୀ ଜଣକ ଆସିକା ବ୍ଳକ ଅନ୍ତର୍ଗତ ମୁନିଗାଡ଼ି ହାଇସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀ ମଧୁସ୍ମିତା କଅଁର । ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଜନଗଣନା କାର୍ଯ୍ୟରେ ସେ ନିୟୋଜିତ ଥିଲେ । ସବୁଦିନ ଭଳି ସେ ଘରକୁ ଘର ବୁଲି ଜନଗଣନା କରୁଥିଲେ । ଶୁକ୍ରବାର ଅପରାହ୍ନରେ ମୁନିଗାଡି ଗାଁ ରାସ୍ତାରେ ସେ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯାଉଥିବା ବେଳେ, ରାସ୍ତାରେ ତାଙ୍କୁ କୌଣସି ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେଠାରେ ସେ ଗୁରୁତର ହୋଇ ପଡ଼ିଥିଲେ । କିଛି ସହଯୋଗୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କୁ ଭଂଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।