ପ୍ରେମର ଆବରଣରେ ପ୍ରତାରଣାର କଳା ଖେଳ; ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟାଙ୍ଗୀ ପୋଲିସ

ଚୌଦ୍ଵାର (ଶିବବ୍ରତ ଦାସ ): ପ୍ରେମର ମିଠା କଥା ଆଜିକାଲି କେତେ ସସ୍ତା ହୋଇଯାଇଛି, ତାହାର ଆଉ ଏକ କଳଙ୍କିତ ଉଦାହରଣ ସାମ୍ନାକୁ ଆସିଛି। ବିବାହର ସୁନା ଭବିଷ୍ୟତର ସ୍ବପ୍ନ ଦେଖାଇ ଏକ ଯୁବତୀଙ୍କ ଭରସାକୁ ଭାଙ୍ଗିଦେବା—ଏହା କେବଳ ଅପରାଧ ନୁହେଁ, ଏହା ସମାଜର ମୁହଁରେ ଏକ ଜୋର ଥାପଡ।
ଅଭିଯୋଗକାରିଣୀ ପ୍ରୀତି ପ୍ରୁଷ୍ଟିଙ୍କ ଟାଙ୍ଗୀ ଥାନାରେ ଦାଖଲ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଉତ୍ତମ ବେହେରା ନାମକ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଭ୍ରମିତ କରି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପ୍ରେମର ଆବରଣରେ ଆରମ୍ଭ ହୋଇଥିବା ଏହି ଚକ୍ରାନ୍ତ ପରେ ନିଜର ଆସଲ ମୁହଁ ଦେଖାଇଲା। ଯେଉଁଠି ଇଚ୍ଛା ର ବିରୁଦ୍ଧରେ ସମ୍ପର୍କ ରଖାଯାଇଥିଲା ଓ ଧମକରେ ସତ୍ୟକୁ ଚାପି ରଖିବାକୁ ଚେଷ୍ଟା ହୋଇଥିଲା।
ଏତିକିରେ ମଧ୍ୟ ସୀମା ରହିଲା ନାହିଁ। ଅନ୍ୟ ଅଭିଯୁକ୍ତ ବିରବର ବେହେରାଙ୍କ ବିରୁଦ୍ଧରେ ମଧ୍ୟ ବଳପୂର୍ବକ ଆଲିଙ୍ଗନ କରିବାକୁ ଚେଷ୍ଟା ଓ ଅଶ୍ଳୀଳ ମେସେଜ ମାଧ୍ୟମରେ ଧମକ ଦେବାର ଅଭିଯୋଗ ଉଠିଛି। ଯେତେବେଳେ ଅଭିଯୋଗକାରିଣୀ ପ୍ରତିବାଦ କଲେ, ସେତେବେଳେ ତାଙ୍କୁ ମିଳିଲା ନ୍ୟାୟ ନୁହେଁ—ମିଳିଲା ମାଡ଼, ଧମକ ଓ ଜୀବନ ନେଇ ଭୟଦେବା। ମନେ ହେଉଛି, ଏଠାରେ ମାନବତା କେବଳ ପୁସ୍ତକରେ ରହିଗଲା, ବାସ୍ତବରେ ତାହାର କୌଣସି ଅସ୍ତିତ୍ୱ ନାହିଁ।
ଏହି ସମସ୍ତ ନିର୍ଯାତନା ଓ ମାନସିକ ଚାପର ଭାର ବୋହିବାକୁ ଅସମର୍ଥ ହୋଇ ଅଭିଯୋଗକାରିଣୀ ଆତ୍ମହତ୍ୟାର ଚେଷ୍ଟା କରିଥିବା ଖବର ମିଳିଛି। ଏହା କେବଳ ଏକ ଘଟଣା ନୁହେଁ—ଏହା ସମାଜ ପାଇଁ ଏକ ଆଇନା, ଯେଉଁଠି ପ୍ରେମର ନାଁରେ ପ୍ରତାରଣା, ଶକ୍ତିର ଦୁରୁପଯୋଗ ଓ ନୀରବ ସମାଜର ଅସଫଳତା ସ୍ପଷ୍ଟ ଭାବେ ଦେଖାଯାଉଛି। ଏମିତି ଘଟଣା ପରେ ମଧ୍ୟ କେବେ ସଚେତନ ହେବ ସମାଜ? ନା କି ପ୍ରତ୍ୟେକ ଘଟଣା ପରେ ଆମେ କେବଳ ଖବର ପଢ଼ି ଚୁପ୍ ରହିବୁ, ଆଉ ଏଭଳି ଘଟଣା ପୁନରାବୃତ୍ତି ହୋଇଚାଲିବ?