
ଚୌଦ୍ୱାର (ଶିବବ୍ରତ ଦାସ ): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅବମାନନା କରିବା ଟାଙ୍ଗୀ-ଚୌଦ୍ବାର ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ଅଧିକାରିଣୀ (ସିଡିପିଓ) ଚନ୍ଦ୍ରିକା କୁମାରୀ ମହାପାତ୍ରଙ୍କ ପାଇଁ ମହଙ୍ଗା ପଡ଼ିଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଶ୍ରୀମତୀ ମହାପାତ୍ରଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଛି। ମାମଲାର ବିବରଣୀ ଅନୁଯାୟୀ, ୧୫ ମାସ ତଳେ ମାଗୁରା-ଧାନମଣ୍ଡଳ ପଞ୍ଚାୟତ ସାନଦେବିଲ ଓ ବାଣୀପଦା ପଞ୍ଚାୟତ ବନ୍ଦାଳ କେନ୍ଦ୍ର ନିମନ୍ତେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି କରା ଯାଇଥିଲା। ଦୁହେଁ କାର୍ଯ୍ୟରେ ଯୋଗ ଦେଇଥିଲେ ହେଁ ସିଡିପିଓଙ୍କ ଅବହେଳା ଯୋଗୁଁ ଉଭୟଙ୍କୁ ଦରମା ମିଳିନଥିଲା। ଏସଂକ୍ରାନ୍ତରେ ଅଭିଯୋଗକରି କର୍ମୀଦ୍ବୟ ସିଡିପିଓଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଅତିଷ୍ଠ ହୋଇ ଦୁହେଁ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।ଅଦାଲତ ମାମଲାର ଶୁଣାଣି କରି ୧୫ ପ୍ରତିଶତ ସୁଧ ସହ ଦରମା ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ। ସୁଧ ଅର୍ଥ ସିଡିପିଓଙ୍କ ଦରମାରୁ ଭରଣା ନିମନ୍ତେ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା। ତେବେ ଉକ୍ତ ନିର୍ଦ୍ଦେଶକୁ ଶ୍ରୀମତୀ ମହାପାତ୍ର ଉପେକ୍ଷା କରିବାରୁ ଦରମା ନ ପାଇ ନବ ନିଯୁକ୍ତ ଅଙ୍ଗନବାଡ଼ି କର୍ମୀଦ୍ଵୟ ଅଦାଲତ ଅବମାନନା ମାମଲା ଋଜୁ କରିଥିଲେ।ଫଳସ୍ବରୂପ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପଦକ୍ଷେପ ଗ୍ରହଣ କରିଥିବା ଜାଣିବାକୁ ମିଳିଛି।