
ଭଞ୍ଜନଗର, ୧୯/୦୪ : (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ତାଲୁକା ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ମୁଦୁଲିପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ତାଙ୍କର ଆଇନଗତ ଅଧିକାର ଓ ସରକାରୀ କଲ୍ୟାଣ ଯୋଜନା ବିଷୟରେ ସଚେତନ କରିବା ଥିଲା।
କାର୍ଯ୍ୟକ୍ରମ ରେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ସେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକମାନଙ୍କୁ ଆଇନ ଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଅବହିତ କରିଥିଲେ। ସିନିୟର ସିଭିଲ ଜଜ୍ ଦେବାଶିଷ ବିଶୋୟୀ, ଏସ୍.ଡି.ଜେ.ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ଓ ଜେ.ଏମ୍.ଏଫ୍.ସି ଭିୟେନା ନାୟକ ମଧ୍ୟ ଉପସ୍ଥିତ ରହି ଆଇନ ସମ୍ପର୍କିତ ବିଭିନ୍ନ ମୁଦ୍ଦାରେ ଆଲୋଚନା କରିଥିଲେ।
ଏହାସହ ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ଓ ସହକାରୀ ଜିଲ୍ଲାପାଳ ରାମ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ତାଲୁକ ଆଇନ ସେବା କମିଟି ସଦସ୍ୟ ଡ଼ଃ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ଅଳକା ମଞ୍ଜରି ପଟ୍ଟନାୟକ ଆଇନ ସେବାର ବିଭିନ୍ନ ପ୍ରାସଙ୍ଗିକ ପ୍ରସଙ୍ଗରେ ଲୋକମାନଙ୍କୁ ସଚେତନ କରିଥିଲେ।
ମୁଦୁଲିପଲ୍ଲୀ ସରପଞ୍ଚ କାହ୍ନୁ ଚରଣ ପ୍ରଧାନ ଓ ଗ୍ରାମ ପଞ୍ଚାୟତ ଅଧିକାରୀମାନେ କାର୍ଯ୍ୟକ୍ରମ ର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଗ୍ରାମବାସୀମାନେ ବ୍ୟାପକ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଏହି ଅବସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅନୁସାରେ ଏଫ୍.ଆଇ.ଆର୍, ଜାମିନ, ସମନ୍ସ, ଓଓୟାରେଣ୍ଟ, ଆଇନଜୀବୀ ସହାୟତା, ଅପିଲ୍ ଓ ପ୍ଲି ବାର୍ଗେନିଂ ଆଦି ବିଷୟରେ ଜଣାଇ ଦିଆଯାଇଥିଲା। ସେପରି ଦାହେଜ ନିଷେଧ ଆଇନ ଓ ଗୃହ ହିଂସା ନିରୋଧ ଆଇନ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।
ସମାଜରେ ଆଇନ ଜ୍ଞାନ ବୃଦ୍ଧି ପାଇଁ ଏପରି କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।