ପ୍ରଭାତଙ୍କ ଧଳା ଅବତାର ନୂଆ ରଙ୍ଗରେ ପୁରୁଣା ଗଣିତ

ଚୌଦ୍ଵାର (ଶିବବ୍ରତ ଦାସ ): ରାଜନୀତିରେ ରଙ୍ଗ ବଦଳାଇବା କୌଣସି ନୂଆ କଥା ନୁହେଁ, କିନ୍ତୁ ପୋଷାକର ରଙ୍ଗ ବଦଳିଲେ ମନସ୍କାମନା ମଧ୍ୟ ବଦଳିଯାଏ କି? ଏହି ପ୍ରଶ୍ନ ଏବେ ଚୌଦ୍ଵାର-କଟକ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ପ୍ରାକ୍ତନ ବିଧାୟକ ପ୍ରଭାତ ବିଶ୍ବାଳ ହଠାତ୍ ଧଳା ପୋଷାକରେ ଦେଖାଦେବା ପରେ ଚର୍ଚ୍ଚା ତେଜ ହୋଇଛି। ମା କାମାକ୍ଷାଙ୍କ ଦର୍ଶନ ପରେ ସିଧା କଟକରେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ପକାଇ ସ୍ୱାଗତ ଏହା କେବଳ ଶିଷ୍ଟାଚାର, ନା କୌଣସି ନୂଆ ସମୀକରଣର ଆରମ୍ଭ? ରାଜନୀତିର ଗଳିରେ ଏବେ ଚର୍ଚ୍ଚା “ଧଳା ପୋଷାକ ପିନ୍ଧିଲେ କି ପୁରୁଣା ଦାଗ ମିଟିଯିବ?” ନା କି ଏହା କ୍ଷମତାର ମିଠା ଗୁଡ଼ ହାଣ୍ଡି ପାଖରେ ଜନ୍ଦା ଭଳି ଘୁରିବାର ନୂଆ ଚେଷ୍ଟା? ଏପଟେ, ନିର୍ବାଚନ ମଣ୍ଡଳୀରେ ପୁରୁଣା ବିଜେପି ନେତା ଓ କର୍ମୀମାନେ ହେଲେ ଅକଲଗୁଡ଼ୁମ୍। “ଯାହାକୁ ବିରୋଧ କରୁଥିଲୁ, ସେହି ଦ୍ୱାରେ ଆଜି ସ୍ୱାଗତ?” ଏହି ପ୍ରଶ୍ନର ଉତ୍ତର କେହି ଖୋଜି ପାରୁନାହାନ୍ତି। ରାଜନୀତିରେ ସମୟ ସହିତ ମନଭାବ ବଦଳେ, ଏହା ସତ୍ୟ। କିନ୍ତୁ ଏହି ପରିବର୍ତ୍ତନ ଜନସେବା ପାଇଁ, ନା ସ୍ୱାର୍ଥସାଧନ ପାଇଁ? ଧଳା ପୋଷାକ ଶାନ୍ତିର ପ୍ରତୀକ, କିନ୍ତୁ ରାଜନୀତିରେ ଏହା କେବେ କେବେ “ନୂଆ ଖେଳର ପୁରୁଣା ଚାଲ୍” ମଧ୍ୟ ହୋଇପାରେ। ଏବେ ଦେଖିବାକୁ ବାକି ପ୍ରଭାତଙ୍କ ଏହି ଧଳା ରଙ୍ଗ କେତେଦିନ ପର୍ଯ୍ୟନ୍ତ ଶୁଭ୍ର ରହିବ, ନା ଆଗାମୀ ଦିନରେ ଆଉ ଏକ ନୂଆ ରଙ୍ଗର କାହାଣୀ ଲେଖିବ?