ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ଓ ଶ୍ରୀଗରୁଡ଼ଙ୍କ ନୂତନ ଆସ୍ଥାନ ପ୍ରତିଷ୍ଠା ଉତ୍ସବ

ପୁରୀ , (ବଳରାମ ତ୍ରିପାଠି ରିପୋର୍ଟ):ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପୁରୀ ବଡ଼ଶଙ୍ଖ ସ୍ଥିତ ନିର୍ବାଣୀ ଆଖଡ଼ା ମଠ ଆନୁକୂଲ୍ୟରେ ପ୍ରଭୁ ଶ୍ରୀହନୁମାନଙ୍କ ନୂତନ ସିଂହାସନ ଓ ଶ୍ରୀଗରୁଡ଼ଙ୍କ ନୂତନ ଆସ୍ଥାନ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅନେକ ମଠାଧୀଶ ଓ ସାଧୁସନ୍ଥ ମାନେ ଯୋଗ ଦେଇଥିଲେ । ପ୍ରାତଃ ୬ ଘଟିକାରୁ ପୁରୋହିତ ବିଧିବଦ୍ଧ ଭାବରେ ପୂଜାପୂଜି ଆରମ୍ଭ କରିଥିଲେ ଏବଂ ହୋମ ଓ ପ୍ରତିଷ୍ଠା ନିତିକାନ୍ତି ସକାଳ ୯ ଘଟିକା ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା । ହୋମ ପରେ ପୁରୋହିତ ପଣ୍ଡିତ ଶ୍ରୀ ସୁଧାକର ମିଶ୍ର, ଶ୍ରୀ ସତ୍ୟନାରାୟଣ ପଣ୍ଡା ଓ ବାବାଜୀ ଶ୍ରୀବୈଷ୍ଣବ ଦାସଜୀ ଶ୍ରୀହନୁମାନଙ୍କ ବିଗ୍ରହକୁ ନୂତନ ପ୍ରତିଷ୍ଠିତ ସିଂହାସନ ଉପରେ ବିରାଜମାନ କରିଥିଲେ ଓ ଶ୍ରୀଗରୁଡ଼ଙ୍କୁ ନୂତନ ଆସ୍ଥାନରେ ବିରାଜମାନ କରିଥିଲେ।

ଏହି ମଠଟି ଶ୍ରୀପଞ୍ଚ ମହାନିର୍ବାଣୀ ଅନୀ ଆଖଡ଼ା ଅନ୍ତର୍ଗତ ଏକ ଆଖଡ଼ା ମଠ ଯାହାକି ପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ଓ ନିତିକାନ୍ତି ସହିତ ଜଡ଼ିତ। ଏଠାରେ ଶ୍ରୀରାଧା ସର୍ବେଶ୍ୱର, ଶ୍ରୀଗଣେଶ ଓ ଶ୍ରୀହନୁମାନଙ୍କ ବିଗ୍ରହ ସମେତ ଶତାଧିକ ସାଳିଗ୍ରାମ ପୂଜା ପାଆନ୍ତି। ଏହା ପୁରୀର ଏକ ଐତିହ୍ୟ ସମ୍ପନ୍ନ ମଠ । ଏହି ଉତ୍ସବରେ ବିଭିନ୍ନ ମଠାଧୀଶ ମାନଙ୍କ ମଧ୍ୟରୁ ମହନ୍ତ ଶ୍ରୀ ନାରାୟଣ ରାମାନୁଜ ଦାସ ଉତ୍ତରପାର୍ଶ୍ଵ ମଠ, ମହନ୍ତ ଶ୍ରୀ ବିଜୟ ରାମାନୁଜ ଦାସ କଟକି ମଠ, ମହନ୍ତ ଶ୍ରୀ ରାମଚରଣ ଦାସ ନେବଳ ଦାସ ମଠ, ମହନ୍ତ ଶ୍ରୀ ସୁଖରାମ୍ ଦାସ ହାତୀ ଆଖଡ଼ା ମଠ, ମହନ୍ତ ଶ୍ରୀ ଅଭିରାମ ଦାସ ମଣିରାମ ମଠ, ମହନ୍ତ ଶ୍ରୀ ଦିବ୍ୟାନନ୍ଦ ଦାସ ବଡ଼ସନ୍ଥ ମଠ, ମହନ୍ତ ଶ୍ରୀ କୃପାରାମ ଦାସ ପୁରୁଣା ନହର ଛତା ମଠ, ମହନ୍ତ ଶ୍ରୀ ନୃସିଂହ ରାମାନୁଜ ଦାସ ସିଦ୍ଧ ମଠ, ମହନ୍ତ ଶ୍ରୀ ବାମନ ଚରଣ ଦାସ ନିର୍ମୋହି ଆଖଡ଼ା ମଠ, ମଠାଧୀଶ ପଣ୍ଡିତ ମଠ, ସାତ ଲହଡି ମଠ, ହାବେଳୀ ମଠ ଓ ତୋରାଣି ଛତ୍ର ମଠ ପ୍ରମୁଖଙ୍କ ସହିତ ଶତାଧିକ ସାଧୁସନ୍ଥ ଓ ବୈଷ୍ଣବ ଯୋଗଦାନ କରି ନିର୍ବାଣୀ ଆଖଡ଼ା ମଠାଧୀଶ ମହନ୍ତ ଶ୍ରୀ ରାମଚରଣ ଦାସଜୀ ଙ୍କୁ ମାଲ୍ୟାର୍ପଣ ଓ ତିଳକ କରି ବିଧିବଦ୍ଧ ଭାବେ ତାଙ୍କର ଆଶୀର୍ବାଦ ନେବା ସହ ସଭାରେ ଉପସ୍ଥିତ ଥିବା ଜନ ସମାଜକୁ ନିଜ ନିଜର ଆଶିର୍ବଚନ ପ୍ରଦାନ କରିଥିଲେ।

ନିର୍ବାଣୀ ଆଖଡ଼ା ମଠର ସମସ୍ତ ଉନ୍ନତି ମୂଳକ କାର୍ଯ୍ୟକ୍ରମ ମହନ୍ତ ଶ୍ରୀ ରାମଚରଣ ଦାସଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ଏବଂ ଏହାକୁ ତାଙ୍କ ମୁଖ୍ୟ ଶିଷ୍ୟ ଶ୍ରୀ ଦେବାଶିଷ ଦାଶ ପରିଚାଳନ କରିବା ସଙ୍ଗେ ଉପସ୍ଥିତ ଥିବା ସମସ୍ତ ମଠାଧୀଶ ଓ ସାଧୁସନ୍ଥ ମାନଙ୍କୁ ମାଲ୍ୟାର୍ପଣ କରି ସ୍ୱାଗତ ଜଣାଇଥିଲେ । ଏହି ଉତ୍ସବ ପରିସମାପ୍ତି ରେ ଶ୍ରୀଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ପ୍ରଭୁ ଶ୍ରୀହନୁମାନଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ ଓ ଉତ୍ସବ ଶେଷରେ ମହାପ୍ରସାଦ ସେବନ କରାଯାଇଥିଲା ।