
ବୁଗୁଡା,୨୨/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅବକାରୀ ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମର ବିଭିନ୍ନ ସ୍ଥାନରେ ବୁଗୁଡା ଓ ଭଞ୍ଜନଗର ଅବକାରୀ ବିଭାଗ ସହିତ ସ୍ଥାନୀୟ ପୋଲିସର ମିଳିତ ଚଢାଉରେ ବ୍ଯାପକ ପରିମାଣର ଦେଶୀମଦ ଜବତ ସାଙ୍ଗକୁ ୫ ଜଣଙ୍କୁ ଗିରଫ ହୋଇଥିବା ଜଣାଯାଇଛି। ଗିରଫ ବ୍ଯକ୍ତିମାନେ ହେଲେ ଗୋଲିଆ ଗ୍ରାମର ସିଲୁ ବେହେରା (୨୪), ବିରୁପାକ୍ଷ ପ୍ରଧାନ (୨୬) , ସଞ୍ଜୁ ପ୍ରଧାନ (୫୫) , ଟୁଲୁ (୩୬) , ବିଭୁ ପ୍ରସାଦ ଗୌଡ (୨୮)। ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ବୁଗୁଡା ଅବକାରୀ ଥାନା ଆଇଆଇସି ଜ୍ଯୋତି ରଞ୍ଜନ ସେନାପତି, ଭଞ୍ଜନଗର ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ମହାନ୍ତି ଓ ବୁଗୁଡା ଥାନା ଏଏସଆଇ ସୁମନ୍ତ କୁମାର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ତିନୋଟି ଟିମ ମିଳିତ ଭାବେ ଗୋଲିଆ ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ବୁଗୁଡା ଅବକାରୀ ଅଧିକାରୀଙ୍କ ନେତୃତ୍ୱରେ ଚଢାଉ ବେଳେ ମହିଳା ମଦ ବେପାରୀ ସଞ୍ଜୁକୁ ଗିରଫ କରି ତା’ଠାରୁ ୩୦ ଲିଟଚୋରା ଦେଶୀ ମଦ ଜବତ ସହ କେସ୍ ନଂ-୯/୨୦୨୬-୨୭ରେ ଏକ ମାମଲା ଏବଂ ଅନ୍ୟ ଜଣେ ମଦ ବେପାରୀ ଟୁଲୁକୁ ଗିରଫ କରି ତା’ଠାରୁ ୩୦ ଲିଟର ଭାଟି ମଦ ପ୍ଯାକେଟ ଜବତ ସହ କେସ୍ ନଂ-୧୦/୨୦୨୬-୨୭ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଭଞ୍ଜନଗର ଅବକାରୀ ଇନିସପେକ୍ଟରଙ୍କ ନେତୃତ୍ୱରେ ଚଢାଉ ବେଳେ ବିରୁପାକ୍ଷକୁ ଗିରଫ କରି ତା’ଠାରୁ ୮୦ ଲିଟର ମଦ ସହ ପାଉଚ୍ ସିଲିଂ ମେସିନ ଜବତ କରି କେସ୍ ନଂ-୧୨/୨୦୨୬-୨୭ରେ ଏକ ମାମଲା ରୁଜୁ ଏବଂ ସିଲୁକୁ ଗିରଫ କରି ତା’ଠାରୁ ୩୦ ଲିଟର ଦେଶୀ ମଦ ଜବତ କରି କେସ୍ ନଂ-୧୩/୨୦୨୬-୨୭ରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଅନ୍ଯପକ୍ଷରେ ବୁଗୁଡ଼ା ପୋଲିସ ଥାନା ଏଏସଆଇ ସୁମନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଚଢାଉ ବେଳେ ବିଭୁକୁ ଗିରଫ କରି ତା’ଠାରୁ ୬.୮ ଲିଟର ଦେଶୀ ମଦ ଜବତ ସହ କେସ୍ ନଂ-୨୦୫/୨୬ରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଚଢାଉ କାର୍ଯ୍ୟରେ କନଷ୍ଟେବଲ ନିରଞ୍ଜନ ବେହେରା, କାମନା କୁମାର ବେହେରା , ନିରେନ୍ଦ୍ର ଶବର , ରାଧାକୃଷ୍ଣ ସାହୁ , ସିଦ୍ଧାର୍ଥ ପ୍ରଧାନ ସଞ୍ଜୟ ଶବର ଓ ଅମିତ କୁମାର ଗମାଙ୍ଗ ପ୍ରମୁଖ ସାମିଲ ଥିଲେ।