ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୩ ଜଣଙ୍କୁ ଅଟକ ରଖିଛି ପୋଲିସ

କାମାକ୍ଷାନଗର : କାମାକ୍ଷାନଗରରେ ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ବାପା ଓ ତାଙ୍କର ୨ଜଣ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। । କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗାଡି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ କରୁଛି।ଏପଟେ ରାଜସ୍ବମନ୍ତ୍ରୀ କହିଛନ୍ତି ଯେ କିଛି ଜାଗାରୁ ଜନଗଣନା କରିବା ପାଇଁ ଯାଉଥିବା କର୍ମଚାରୀଙ୍କୁ ଆକ୍ରମଣ କରାଯାଉଥିବା ଭଳି ସୂଚନା ଆମ ନିକଟକୁ ଆସୁଛି । ଏଭଳି କରୁଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।