
ଚୌଦ୍ୱାର (ଶିବବ୍ରତ ଦାସ )ରାଜ୍ୟ ସରକାର ପ୍ରଦୂଷଣ ବିରୋଧରେ ଯେପରି ଢୋଲ ପିଟୁଛି, ମନେ ହେଉଛି ଆଜିକାଲି ହାବା ମଧ୍ୟ ଚେକିଂରେ ରହିଛି। କିନ୍ତୁ ମଙ୍ଗୁଳି ଛକର କବାଡ଼ିଆ ମାର୍କେଟକୁ ଦେଖିଲେ ଲାଗେ ଏଠାରେ ଆଇନ ନୁହେଁ, “ଅନୁମତି ବିନା ଛୁଟି” ଚାଲିଛି! ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଦିନକୁ ଦିନ ନୁହେଁ, ଘଣ୍ଟାକୁ ଘଣ୍ଟା ଧୂଆଁ ଉଠୁଛି। ଲୁହା କଟିବାର ଶବ୍ଦ ଏମିତି ଯେ, ମନେ ହେଉଛି କୌଣସି ଯୁଦ୍ଧର ରିହର୍ସଲ୍ ଚାଲିଛି। କିନ୍ତୁ ପ୍ରଶାସନ ପାଇଁ ସବୁକିଛି “ସାଧାରଣ” ନା “ସେଟିଂ ଅନୁଯାୟୀ ସାଧାରଣ”? ଏଠାରେ ଲୋକେ ଖୋଲାମେଲା କହୁଛନ୍ତି ରାତି ହେଲେ ଆରମ୍ଭ ହୁଏ ଅସଲି କାରବାର। ଚୋରା ଗାଡ଼ି ଆସେ, କଟାଯାଏ, ଆଉ ସକାଳେ ସେଗୁଡ଼ିକ ହେଉଛି “ସ୍କ୍ରାପ୍” କାଗଜରେ ସବୁ ସଫା! ଏହା କୌଣସି ସିନେମା ଗଳ୍ପ ନୁହେଁ, ଏହା ହେଉଛି ମଙ୍ଗୁଳିର ଦୈନନ୍ଦିନ ରୁଟିନ୍। ଅବଶ୍ୟ ପ୍ରଶ୍ନ ହେଉଛି ପୋଲିସ କେଉଁଠି? ନା ଏଠାରେ “ଦେଖିବ ନାହିଁ” ବୋଲି କୌଣସି ଅଲିଖିତ ଆଦେଶ ଅଛି? ପୂର୍ବରୁ ଏହି ମାର୍କେଟକୁ ନେଇ ବିବାଦ ଉଠିଥିଲା, ପୋଲିସର ନାଁ ମଧ୍ୟ ଆସିଥିଲା, ଅଧିକାରୀଙ୍କ ବଦଳି ହୋଇଥିଲା। କିନ୍ତୁ ଦୃଶ୍ୟ ବଦଳିଲା ନାହିଁ ମାତ୍ର ଶୈଳୀ ବଦଳିଗଲା। ଏବେ ସବୁ କାମ “ସିଷ୍ଟମେଟିକ୍”! ସ୍ଥାନୀୟ ମହଲରେ ଏକ ତୀକ୍ଷ୍ଣ କଥା ଗୁଞ୍ଜୁଛି “ଉପରେ ଫାଇନ୍, ତଳେ ମାସିକିଆ ମଧ୍ୟରେ ଆଇନ ହେଉଛି ହସ୍ତିଆର!” ଯଦି ଏହା ସତ୍ୟ, ତେବେ ଏହା ମାତ୍ର ଅନୀତି ନୁହେଁ ଏହା ସରକାରୀ ବ୍ୟବସ୍ଥାକୁ ସିଧାସଳଖ ଚ୍ୟାଲେଞ୍ଜ୍। କିଛି ମଧ୍ୟସ୍ଥ ଓ ଖବରଦାତା ମାସିକିଆ ନେଇ ସବୁକୁ “ମ୍ୟାନେଜ୍” କରୁଛନ୍ତି ଏହା ଆଉ ଗଭୀର ସନ୍ଦେହ ସୃଷ୍ଟି କରୁଛି। ବାହାର ରାଜ୍ୟର ବ୍ୟବସାୟୀ ଆସି ଏଠାରେ ନିଜର ଅନଧିକୃତ ସାମ୍ରାଜ୍ୟ ଗଢ଼ୁଛନ୍ତି, ଆଉ ସ୍ଥାନୀୟ ପ୍ରଶାସନ ମାତ୍ର ଚୁପ୍ଚାପ୍ ଦର୍ଶକ ସାଜିଛି। “ଜେଉଁଠି ଲାଭ ଅଛି, ସେଠି ନୀତି ନାହିଁ!” ମଙ୍ଗୁଳିରେ ଆଇନ ଚାଲୁଛି କି ନିଲାମ ହେଉଛି? ନିରବତା ପଛରେ ଅସମର୍ଥତା ଅଛି କି ସହଭାଗୀତା? ଲୋକମାନେ ଆଖି ଖୋଲି ଅପେକ୍ଷା କରୁଛନ୍ତି “କେବେ ଭାଙ୍ଗିବ ଏହି ନକଲି ନିରବତା, ନାକି ଧୂଆଁରେ ସତ୍ୟ ସଦା ପାଇଁ ଦମିଯିବ?”