ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ମନ୍ତ୍ରୀଙ୍କ ଦ୍ଵାରା ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ଓ ଭତ୍ତା ବଣ୍ଟନ

ବୁଗୁଡ଼ା,୨୪/୦୪(ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବିଭିନ୍ନ ହିତାଧିକାରୀଙ୍କୁ ସରକାରୀ ଭତ୍ତା ଏବଂ ନୂତନ ଖାଉଟି କାର୍ଡ ବଣ୍ଟନ କରିଥିଲେ।ଏଥି ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସିବିଏସଇ ଦଶମ ପରୀକ୍ଷାରେ ୯୨% ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଆଶୁତୋଷ ବିଷୋୟୀ,ଏ. ଦେବଦୂତ ଆଚାରୀ ଏବଂ ସୁଶ୍ରୀ ସାଇଦର୍ଶନୀ,ଅଂଶୁମାନ ବିଷୋୟୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାପାଣି ଜେନାଙ୍କ ସମେତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ପରିଶେଷରେ ଏବିଡ଼ିଓ ଧର୍ମରାଜ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।