
ଭଞ୍ଜନଗର,୨୫/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପ୍ରତି ତିନି ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଉଥିବା ବେଳେ ଚଳିତ ବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ୟପକ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଲାଣି।ଏବେଠାରୁ ଯାତ୍ରାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ଉପଜିଲ୍ଲାପାଳ ଉକ୍ତ ଯାତ୍ରାର ପୁରୋଧା ଭାବେ ଦାୟିତ୍ବ ସମ୍ପାଦନା କରୁଛନ୍ତି। ଯାତ୍ରା କମିଟି ପକ୍ଷରୁ ଚଳିତ ବର୍ଷ ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରିବା ନେଇ ସମସ୍ତ ପ୍ରସ୍ତୁତି ଚାଲିଛି। ଦେବୀଙ୍କ ଅସ୍ଥାୟୀ ପୀଠ କାର୍ଯ୍ୟ ନିର୍ମାଣ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବୋଳେ ଚଳିତ ବର୍ଷ ଠାକୁରାଣୀ ଯାତ୍ରାକୁ ଅଧିକ ଆର୍କଷଣୀୟ କରିବା ପାଇଁ ସହରକୁ ସୁନ୍ଦର ଭାବେ ସଜା ଯାଉଛି। ବିଶେଷ କରି ପୌରପାଳିକା ପକ୍ଷରୁ ସହରର ମୁଖ୍ୟ ରାସ୍ତାକୁ ଝୋଟି ଚିତାରେ ସଜ୍ଜାଇବା ପାଇଁ ସ୍ବତନ୍ତ୍ର ଚିତ୍ରକର ଆସିଥିବା ବେଳେ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ମାଧ୍ୟମରେ ଭଞ୍ଜନଗରର ଐତିହ୍ୟ ପରମ୍ପରାର ସମ୍ଭାରକୁ ଚିତ୍ରିତ କରାଯାଇଛି।
ଆସନ୍ତା କାଲି ୨୬ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବାକୁ ଥିବା ଆସନ୍ତା ୨୫ ଦିନ ଧରି ଯାତ୍ରା ଚାଲିବା ପରେ ତାହା ଆସନ୍ତା ମାସ ୨୦ ତାରିଖ ଦିନ ଶେଷ ହେବ। ଏହି ଠାକୁରାଣୀ ଯାତ୍ରାରେ ବ୍ୟାଘ୍ରଦେବୀ ଅତିଥି ଭାବେ ଯୋଗଦେଉଥିବା ବେଳେ ଅନ୍ତିମ ଦିନ ଉଭୟ ଦେବୀଙ୍କ ଭେଟ ପରେ ଯାତ୍ରା ଶେଷ ହୋଇଥାଏ। ତାକୁ ଦୃଷ୍ଟିରେ ରଖି ଦେବୀଙ୍କ ନଗର ଭ୍ରମଣ ସହ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ରାଜ୍ୟର ବହୁ ପ୍ରତିଷ୍ଠିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଓ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନେଇ ନିର୍ଦ୍ଧାରଣ କରାଯାଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନା ବଜାର,ରାମଦୋଳି ସମେତ ଅପେରା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସହରର ମୁଖ୍ୟ ସଡକ ଓ ଅସ୍ଥାୟୀ ପୀଠ ନିକଟରେ ବିରାଟ ତୋରଣ ସାଙ୍ଗକୁ ମୁଖ୍ୟ ସଡ଼କକୁ ସଂପୂର୍ଣ୍ଣ ଭାବେ ଝୋଟି ଚିତାରେ ସୁସଜ୍ଜିତ କରି ଦେବା ନିଷ୍ପତିକୁ ବିଭିନ୍ନ ମହଲରେ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳିଛି। ମୁଖ୍ୟରାସ୍ତାର ନୂତନ ଆଲୋକ ବ୍ୟବସ୍ଥା ପାଇଁ ଖୁଣ୍ଟ ପୋତ ଯାଉଛି। ଏଥିସହ ପ୍ରଥମ ଥର ପାଇଁ ପୁରୁଣା ଜେଲକୁ ସଫା କରାଯାଇ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରଙ୍ଗମଞ୍ଚ କରାଯିବା ନେଇ ନିଷ୍ପତି ନିଆଯାଇଛି। ଉକ୍ତ ଯାତ୍ରାରେ ସାମିଲ ହେବା ପାଇଁ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ,ବାଚସ୍ପତିଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି।
ଆସନ୍ତା କାଲି ୨୬ ତାରିଖ ଦିନ ଅପରାହ୍ନ ସମୟରେ କୁଲାଡରୁ ଭଞ୍ଜ ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକ ଶଗଡରେ ବାଟ ବ୍ୟାଘ୍ରଦେବୀ ମନ୍ଦିରକୁ ଅଣାଯିବା ପରେ ସେଠାରୁ ବିରାଟ ପଟୁଆର ଓ ଆତସବାଜୀରେ ଦେବୀଙ୍କୁ ଅସ୍ଥାୟୀ ପୀଠକୁ ଅଣାଯିବ। ଏହାପରେ ଗ୍ରାମଦେବତୀ ଠାକୁରାଣୀଙ୍କୁ ମାଆ ଘର ତଥା ଦେଶୀ ବେହେରାଙ୍କ ପରିବାର ସଦସ୍ୟ ଏକ ଚାଙ୍ଗୁଡିରେ ଆଜ୍ଞା ମାଳ ଆଣିବା ପରେ ଯାତ୍ରାର ଶୁଭାରମ୍ଭ ହେବ।