ଭଞ୍ଜନଗର ରେ କାଳବୈଶାଖୀ ତାଣ୍ଡବ: ପବନ ସହ ବର୍ଷା ଭାଙ୍ଗିଲା ଗଛ ବିଦ୍ୟୁତ ସେବା ବ୍ୟାହତ

ଭଞ୍ଜନଗର ୨୮/୦୪ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧ ଟା ରୁ ୪ ଟା ପର୍ଯ୍ୟନ୍ତ ଝଡ଼ବର୍ଷା ସହ ମଝିରେ ମଝିରେ ତୁହାକୁ ତୁହା ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି କେଉଁଠି ଘର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତା ଅବରୋଧ ହୋଇଛି। ଏହିଭଳି ଭଞ୍ଜନଗର ମେଡିକାଲ ବ୍ଲଡ ବ୍ୟାଙ୍କ ପରିସରରେ ଥିବା ଏକ ପୁରୁଣା ବଡ ଆମ୍ବ ଗଛ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ବ୍ଲଡ ବ୍ୟାଙ୍କ ମୁଖ୍ୟ ଫାଟକ ଏବଂ ଗ୍ୟାରେଜ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଭଞ୍ଜନଗର ଦମକଳବାହୀନି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଙ୍ଗି ଯାଇଥିବା ଗଛକୁ କାଟି ବାହାର କରିଥିଲେ। ପରେ ଟାଟା ପାୱାର କର୍ମଚାରୀ ବିଦ୍ୟୁତ ସେବାକୁ ସ୍ବଭାବିକ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଝଡ଼ତୋଫାନ ଯୋଗୁ ବିଦ୍ୟୁତ ସେବା ବ୍ୟାହତ ଅଛି। ଭଞ୍ଜନଗର ଫୁଲବାଣୀ ରାସ୍ତା ସୋରଦେବୀ ମନ୍ଦିର ଠାରୁ ମୁଜାଗଡ଼ ଭିତରେ ବହୁ ଗଛ ସହ ଡାଳ ଭାଙ୍ଗି ପଡ଼ିଥିବା ବେଳେ ଦମକଳ ବାହିନୀ କର୍ମଚାରୀ ମାନେ ଗଛ ସହ ଡାଳ କାଟି ରାସ୍ତା ସଫା କରିବା ପରେ ଗାଡି ମୋଟର ଚଳାଚଳ ସ୍ୱାଭାବିକ ହେଇଥିବା ଜଣାପଡିଛି ।