ବେଲଗୁଣ୍ଠାର ଶ୍ରୀଶ୍ରୀ ଲଷ୍ମୀନୃସିଂହ ସ୍ୱାମୀଙ୍କ ମନ୍ଦିରରେ ଭକ୍ତିମୟ ପରିବେଶରେ ପାଳିତ ହେଲା ସ୍ୱାମୀଙ୍କ ପବିତ୍ର ଜନ୍ମୋତ୍ସବ

ବେଲଗୁଣ୍ଠା ୦୨/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ବଡ଼ ଦାଣ୍ଡରେ ଥିବା ଅଷ୍ଟାଦଶ ଶତାବ୍ଦୀର ଭଞ୍ଜବଂଶୀୟ କୀର୍ତ୍ତି ପ୍ରଭୁ ଶ୍ରୀ ଲଷ୍ମୀନୃସିଂହନାଥ ମନ୍ଦିର । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଏହି ପୁରାତନ ମନ୍ଦିରରେ ଆନନ୍ଦ,ଉଲ୍ଲାସ ,ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି ପ୍ରଭୁଙ୍କ ଜନ୍ମୋଉତ୍ସବ କାର୍ଯ୍ୟକ୍ରମ । ସମସ୍ତ ରୀତିନୀତି ଅନୁଯାୟୀ ମନ୍ଦିରରେ ପ୍ରାତଃରୁ ବାଳଭୋଗ ଓ ଅନ୍ୟନ୍ୟ କାର୍ଯ୍ୟକ୍ରମ ସହିତ ନୃସିଂହ ଚତୁର୍ଦ୍ଦଶୀର ସ୍ୱତନ୍ତ୍ର ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମନ୍ଦିରର ଶ୍ରେଷ୍ଠ ଆଦ୍ୟ ପୂଜକ ଶ୍ରୀ ଗୁରୁ ଗୋସାଇଁ ପରିବାରର ବଂଶଜ ତଥା ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଅନନ୍ତ କୃଷ୍ଣ ସ୍ୱାମୀ ଆୟେଙ୍ଗାର ମନ୍ଦିରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସିବା ପରେ ଭକ୍ତ ମାନେ ନୂତନ ବସ୍ତ୍ରରେ ପାହାଡ଼ା ପକାଇ ଗୁରୁ ଗୋସାଇଁ ଶ୍ରୀ ଅନନ୍ତ କୃଷ୍ଣ ସ୍ୱାମୀ ଆୟେଙ୍ଗାରଙ୍କୁ ପାଛୋଟି ଅଣାବା ସହ ପ୍ରଭୁଙ୍କ ନିକଟରେ ଆଳତି କରାଯାଇଥିଲା । ପରେ ସ୍ଥାନୀୟ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପ ଭୋଜିଶାଳାରେ ଗୁରୁ ଗୋସେଇଁଙ୍କ ସହ ତାଙ୍କ ପରିବାରର ଅନ୍ୟଜଣଙ୍କ ଠାରୁ ବହୁ ମହିଳା ଓ ପୁରୁଷ ଆଶୀର୍ବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏତଦବ୍ୟତୀତ ଯଜ୍ଞ ମଣ୍ଡପରେ ପ୍ରଭୁଙ୍କ ଉଦେଶ୍ୟରେ ସପନ ମାନସିକ ମେଳା ତରଫରୁ ପୁଜାର୍ଚନା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବାହ୍ନରେ ୧୦୮ ହନୁମାନ ଚାଳିସା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ମନ୍ଦିରର ସମସ୍ତ ପୂଜାପଣ୍ଡା ମାନେ ସହଯୋଗ କରିଥିଲେ । ମନ୍ଦିରରେ ସକାଳୁ ସନ୍ଧ୍ୟା ଯାଏଁ ଏକ ଅଦ୍ଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ଲାଗି ରହିଥିଲା । ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଭୁଙ୍କୁ ଭୋଗରାଗ ସହ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସଂଧ୍ୟା ଆଳତି ଦେଖିବାକୁ ସହସ୍ରାଧିକ ଭକ୍ତଙ୍କ ସମାଗମ ମନ୍ଦିରରେ ଦେଖିବାକୁ ମିଳିଥିଲା ।ସେହିଭଳି ସ୍ଥାନୀୟ ବଡ଼ଦାଣ୍ଡରେ ମଧ୍ୟ ଭକ୍ତି ଭଜନ କାର୍ଯ୍ୟକ୍ରମ ଅନେକଙ୍କୁ ଭକ୍ତି ଭାବରେ ବାନ୍ଧି ରଖିଥିଲା ରାତି ଦଶଟା ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତ ମାନେ ଉପବାସ ରହି ପ୍ରଭୁଙ୍କ ଆରାଧନା କରୁଥିବା ଦେଖିବାକୁ ମିଳିଥିଲା ।