
ଚୌଦ୍ୱାର (ଶିବବ୍ରତ ଦାସ ): ଟାଙ୍ଗୀ ଚୌଦ୍ୱାର ତହସିଲ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଜବରଦଖଲ କାରୀଙ୍କ ଦୌରାତ୍ମ୍ୟ। ପ୍ରଶାସନର ନିଷ୍କ୍ରିୟତା ଏବଂ ଅପାରଗତା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାକୁ ପହଞ୍ଚିଛି।
ତଥ୍ୟ ଅନୁଯାୟୀ, ତହସିଲ ଅନ୍ତର୍ଗତ ବଇଁଚୁଆ ରାଜସ୍ୱ ନିରୀକ୍ଷକଙ୍କ ଅଧୀନ କହ୍ନେଇପୁର ମୌଜାରେ, ଭଗତପୁର ଅଞ୍ଚଳର ଦୁଇ ମହିଳାଙ୍କ ଦ୍ୱାରା ସରକାରୀ ଜମି ଉପରେ ବେଆଇନ ଜବରଦଖଲ ଅଭିଯୋଗ ଆସିଛି। ଏହି ସମ୍ପର୍କରେ ପ୍ରାରମ୍ଭରୁ ଲିଖିତ ଅଭିଯୋଗ ଜିଲ୍ଲାପାଳ କଟକ ଓ ତହସିଲଦାରଙ୍କୁ ଦିଆଯାଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବେଆଇନ ନିର୍ମାଣ କାମ ଆରମ୍ଭ ହେବା ସମୟରୁ ଅଭିଯୋଗ ହୋଇଥିଲା, କିନ୍ତୁ ପ୍ରଶାସନର ନିରବତା ଜବରଦଖଲକୁ ଆହୁରି ପ୍ରୋତ୍ସାହନ ଦେଉଛି ବୋଲି ଅଞ୍ଚଳବାସୀଙ୍କ ଅଭିଯୋଗ। ବର୍ତ୍ତମାନ ସ୍ଥିତିରେ, ଉକ୍ତ ଜାଗାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଏହା ଆଗାମୀ ଦିନରେ ଗୋଷ୍ଠୀ ସଂଘର୍ଷର ରୂପ ନେଇପାରେ। ଅନ୍ୟପଟେ, ଜବରଦଖଲରେ ଜଡିତ ଦୁଇ ମହିଳା ସ୍ୱାମୀ ପରିତ୍ୟକ୍ତା ବୋଲି ଦାବି କରୁଥିବା ବେଳେ, ସେଥିପାଇଁ କୌଣସି ସ୍ପଷ୍ଟ ଆଇନଗତ ପ୍ରମାଣ ମିଳିନାହିଁ। ଆଶ୍ଚର୍ଯ୍ୟର କଥା ହେଲା, ନିଜସ୍ୱ ପୌତୃକ ସମ୍ପତି ଥାଇ ମଧ୍ୟ ସରକାରୀ ଜମିକୁ ଦଖଲ କରିବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ନିନ୍ଦା ହେଉଛି। ସାଧାରଣ ଲୋକମାନଙ୍କ ପ୍ରଶ୍ନ —“ପ୍ରଶାସନ ଆଖି ବନ୍ଦ କରି ବସିଛି କାହିଁକି? ଆଉ କେତେ ଦିନ ପର୍ଯ୍ୟନ୍ତ ଏଭଳି ବେଆଇନ କାର୍ଯ୍ୟ ଚାଲିବ?” ଏବେ ଦେଖିବାକୁ ବାକି ରହିଲା, ପ୍ରଶାସନ କେବେ ସଚେତନ ହେବ ଓ ଏହି ସମସ୍ୟାର ସମାଧାନ କରିବ।