
ଚୌଦ୍ୱାର (ଶିବବ୍ରତ ଦାସ ): କଟକର ମଧୁପାଟଣା ଅଞ୍ଚଳରେ ଥିବା ରୁଚି ମସଲା କମ୍ପାନୀକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ମହିଳା କର୍ମଚାରୀଙ୍କୁ କମ୍ପାନୀର ଦୁଇ ମ୍ୟାନେଜର ଦ୍ୱାରା ନିୟମିତ ଭାବେ ମାନସିକ ଅତ୍ୟାଚାର କରାଯାଉଥିବା ଅଭିଯୋଗରେ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି।ସୂଚନା ଅନୁଯାୟୀ, ରାଣୀହାଟ ଶଗଡ଼ିଆ ସାହିର ଜଣେ ଯୁବତୀ ୨୦୨୫ ମସିହା ଅକ୍ଟୋବର ୨୨ ତାରିଖରେ ରୁଚି ମସଲା କମ୍ପାନୀରେ ସେଲ୍ସ ସପୋର୍ଟ ଏକଜିକ୍ୟୁଟିଭ ଭାବେ ଯୋଗଦେଇଥିଲେ। ଯୋଗଦେବା ପରଠାରୁ ସେ ସଚ୍ଚୋଟ ଓ କର୍ମନିଷ୍ଠାର ସହିତ କାମ କରୁଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। କିନ୍ତୁ ଅଭିଯୋଗ ଅନୁସାରେ, ଯୋଗଦାନର କିଛିଦିନ ପରେ କମ୍ପାନୀର ମ୍ୟାନେଜର ସାଇ ସମ୍ବିତା ନାୟକ ଓ ମଧୁସ୍ମିତା ବାରିକ ମିଶି ଯୁବତୀଙ୍କୁ ନିୟମିତ ଭାବେ ମାନସିକ ଚାପ ଦେଉଥିଲେ। କମ୍ପାନୀ ଭିତରେ କଥିତ “କଙ୍ଗାରୁ କୋର୍ଟ” ଚାଲି ଯୁବତୀଙ୍କୁ ଅପମାନଜନକ କଥା କହି ଲଜ୍ଜିତ କରାଯାଉଥିବା ମଧ୍ୟ ଅଭିଯୋଗ ରହିଛି।ଏହି ନିରନ୍ତର ଚାପ ଫଳରେ ଯୁବତୀ କର୍ମଚାରୀ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କୁହାଯାଉଛି। ପରିବାର ଲୋକେ ଘଟଣା ବିଷୟରେ ଜାଣିବା ପରେ, ଯୁବତୀଙ୍କ ବାପା ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ, ଶ୍ରମ ବିଭାଗର ନିୟମକୁ ଅମାନ୍ୟ କରି କମ୍ପାନୀର ଦୁଇ ମ୍ୟାନେଜର ନିଜ ମନମୁତାବକ କାର୍ଯ୍ୟ କରୁଥିଲେ। ଏହି ଘଟଣା ଏବେ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି—କମ୍ପାନୀର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷ ଏହି ସମସ୍ତ ଘଟଣା ବାବଦରେ ଅବଗତ ଥିଲେ କି ନାହିଁ? ଯଦି ଅବଗତ ଥିଲେ, ତେବେ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରାଯାଇନି—ଏହା ନେଇ ପ୍ରଶ୍ନ ଉଠୁଛି।ଏହା ସହିତ, ଖୁବ୍ ଶୀଘ୍ର ଏହି ଘଟଣାକୁ ନେଇ ଶ୍ରମିକ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବା ପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ଏହି ଘଟଣା ପରେ କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ସୁରକ୍ଷା ଓ ମାନସିକ ସ୍ୱାସ୍ଥ୍ୟକୁ ନେଇ ପୁନର୍ବାର ପ୍ରଶ୍ନ ଉଠିଛି।