ପ୍ରଭାତ ବିଶ୍ୱାଳଙ୍କ ବିଜେପି ପ୍ରବେଶ ଓ ପୁରୁଖା କର୍ମୀଙ୍କ ଭବିଷ୍ୟତ

ଚୌଦ୍ୱାର (ଶିବବ୍ରତ ଦାସ ):ବିଜେପି ଯଦି ପ୍ରଭାତଙ୍କୁ ଦଳରେ ସାମିଲ କରେ ତେବେ ପୁରୁଖାଙ୍କୁ ମିଳିବ ତ ସମ୍ମାନ? ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ପରେ କଟକ ରାଜନୀତି ସମେତ ରାଜ୍ୟ ରାଜନୀତିରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ଦଳର ପୁରୁଖା ତଥା ପୁରୁଣା କର୍ମୀଙ୍କ ଭବିଷ୍ୟତକୁ ନେଇ ଏବେ ସନ୍ଦେହ ଓ ଆଶଙ୍କାର ବାଦଲ ଦେଖାଦେଇଛି। ପରିବର୍ତ୍ତିତ ରାଜନୈତିକ ସମୀକରଣ ପ୍ରଭାତ ବିଶ୍ୱାଳଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ବିଜେପିକୁ ଆସିବା ଦ୍ୱାରା ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ ହେବ। କିନ୍ତୁ ଏହା ଦ୍ୱାରା ବର୍ଷ ବର୍ଷ ଧରି ବିଜେପିର ପତାକା ଧରିଥିବା କର୍ମୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।ପୁରୁଖା ନେତାଙ୍କୁ କୋଣଠେସା କରାଯିବାର ଭୟ ମଧ୍ୟ ସେମାନଙ୍କ ମଧ୍ୟରେ ରହୁଥିବା ବେଳେ ବିଜେଡିର ଯେଉଁ କର୍ମୀ ପ୍ରଭାତଙ୍କୁ ସମର୍ଥନ କରୁଛନ୍ତି ପୁନର୍ବାର ସେମାନଙ୍କ ଦବଦବା ରହିବ ।ବିଜେପି ପ୍ରଥମେ ଆମଦାନୀ ନେତାଙ୍କୁ ଅଧିକ ଗୁରୁତ୍ୱ ଦେବା ସହିତ ପୁରୁଖା ମାନଙ୍କୁ ଅଣଦେଖା କରିବାର ନଜିର ରହିଅଛି । ପୁରୁଖା ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇପାରେ ନିଷ୍ଠାପର ସେବା କରିଥିବା ବେଳେ ଆମଦାନୀ ନେତା ସେମାନଙ୍କୁ ଅଣଦେଖା କରିବା ସହିତ ସଂଗଠନ ଦୁର୍ବଳ ହେବା ସମ୍ଭାବନା ଦେଖାଦେଇପାରେ । ପୁରୁଖାଙ୍କ ଭବିଷ୍ୟତ ସମ୍ପର୍କରେ ରାଜନୈତିକ ସମୀକ୍ଷକଙ୍କ ମତ ବିଜେପି ଏକ କ୍ୟାଡର-ଭିତ୍ତିକ ଦଳ ହୋଇଥିବାରୁ ଏଠାରେ ପୁରୁଣା କର୍ମୀଙ୍କୁ ଏକାବେଳକେ ଅଣଦେଖା କରିବା ସମ୍ଭବ ନୁହେଁ। ନୂଆ ଓ ପୁରୁଣାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦଳ ପାଇଁ ବଡ଼ ଆହ୍ୱାନ।ଆଗାମୀ ଦିନରେ ସାଂଗଠନିକ ପଦବୀରେ ପୁରୁଖାଙ୍କୁ ଥଇଥାନ କରାଯାଇପାରେ। ନିର୍ବାଚନ ସମୟରେ ଟିକେଟ ବଣ୍ଟନକୁ ନେଇ ପୁରୁଖା ଓ ନବାଗତଙ୍କ ମଧ୍ୟରେ ଟକ୍କର ହେବା ନିଶ୍ଚିତ। ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ ଦଳ ପାଇଁ କେତେ ଲାଭଦାୟକ ହେବ, ତାହା ସମୟ କହିବ। ମାତ୍ର ଦଳ ଯଦି ପୁରୁଖା କର୍ମୀଙ୍କ ଅଭିଜ୍ଞତା ଏବଂ ବଳିଦାନକୁ ସମ୍ମାନ ନଦିଏ, ତେବେ ତୃଣମୂଳ ସ୍ତରରେ ବିରୋଧର ସ୍ୱର ତେଜିପାରେ। ବିଜେପି ଶୀର୍ଷ ନେତୃତ୍ୱ ଏହି ସନ୍ତୁଳନ କିପରି ରକ୍ଷା କରୁଛନ୍ତି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।