ଦାଦନ ଶ୍ରମିକଙ୍କ ପୁଅ, ଦଶମରେ ବ୍ଳକ୍ ଟପ୍ପର

ଭଂଜନଗର – ୦୩/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ବେଣିପଲ୍ଲୀ ପଞ୍ଚାୟତର ଗୋପୀନାଥ ସ୍ୱାମୀ ବିଦ୍ୟାପୀଠର ଛାତ୍ର ଅନିଲ୍ କୁମାର ନାୟକ ଦଶମ ଶ୍ରେଣୀ ପରୀକ୍ଷାରେ ୫୫୮ ନମ୍ବର ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି । ବାବା ଭାବଗ୍ରାହୀ ନାୟକ ସୁରତରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ଚଳାଉଛନ୍ତି । ଘରର ଅଭାବ ସତ୍ତ୍ୱେ ସେ ପାଠ ପଢାକୁ ଗୁରୁତ୍ବ ଦେଇ ପାଠ ପଢା ଜାରି ରଖିଥିଲେ । ଅନ୍ୟପକ୍ଷରେ ବିଦ୍ୟାଳୟରେ ଶିକ୍ଷକ ଅଭାବ ସତ୍ତ୍ୱେ, ପ୍ରଧାନ ଶିକ୍ଷକଙ୍କ ସମେତ ମାତ୍ର ୩ ଜଣ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଅନିଲ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ସଂପୃକ୍ତ ବିଦ୍ୟାଳୟର ପାସ୍ ହାର ଶତପ୍ରତିଶତ ରହିଛି । ସମୁଦାୟ ୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି । ଏଥିରୁ ଏ-୧ ରେ ଜଣେ, ଏ-୨ ରେ ୫ , ବି-୧ ରେ ୧୧, ବି-୨ ରେ ୮ଜଣ, ସି ରେ ୪ ଜଣ ଏବଂ ଡି ରେ ୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅନିଲଙ୍କ ସମେତ ସଫଳତା ପାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାୟକ, ସହକାରୀ ଶିକ୍ଷୟିତ୍ରୀ ମିନତୀ ନାୟକ, ଶିକ୍ଷୟତ୍ରୀ ପାକାରା ଖାଟୁନ୍ ପାଗ୍ ଏବଂ ବେଣିପଲ୍ଲୀ ପଞ୍ଚାୟତର ସରପଞ୍ଚ ଦୁର୍ଗାମାଧବ ନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।