ଚେକ୍ ବାଉନ୍ସ୍ ମାମଲାରେ ଏକ ବର୍ଷ ଜେଲ୍

ଭଞ୍ଜନଗର ୦୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି ଭିୟେନା ନାୟକ ଏକ ଚେକ୍‌ ବାଉନ୍ସ ମାମଲା ବିଚାର କରି ଅଭିଯୁକ୍ତ ରଞ୍ଜନ ସ୍ବାଇଁଙ୍କୁ ଏକ ବର୍ଷ କାରାଦଣ୍ଡ ସହ ୪ ଲକ୍ଷ ୫୦ ହଜାର ଟଙ୍କା ଫାଇନାନ୍ସ କମ୍ପାନୀକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁଚନାନୁସାରେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ାର ରଞ୍ଜନ ଭଞ୍ଜନଗର ଶ୍ରୀରାମ ଫାଇନାନ୍ସ କମ୍ପାନୀ ରୁ ଗୋଟିଏ ଟ୍ରକ୍‌ ନେଇଥିଲେ । ଏହାପରେ ଅଭିଯୁକ୍ତ ନିର୍ଦ୍ଧାରିତ ସମୟରେ ଇଏମଆଇ ପରିଶୋଧ କରି ନ ଥିଲେ। ଏହାପରେ ବୀମା କମ୍ପାନୀ ଏଜେଣ୍ଟମାନେ ବାରମ୍ବାର ଗାଡ଼ି ମାଲିକଙ୍କୁ ଟଙ୍କା ମାଗିବାକୁ ଯାଇଥିଲେ। ଶେଷରେ ଗାଡ଼ିମାଲିକ ୨ ଲକ୍ଷ ୨୬ ହଜାର ୮୨୨ ଟଙ୍କାର ଏକ ଚେକ୍‌ ଦେଇଥିଲେ। ଫାଇନାନ୍ସ କମ୍ପାନୀ ଚେକ୍‌ ବ୍ୟାଙ୍କରେ ଡିପୋଜିଟ୍‌ କରିବା ପରେ ତାହା ବାଉନ୍ସ ହୋଇଯାଇଥିଲା। ଏହାପରେ ଫାଇନାନ୍ସ କମ୍ପାନୀ ଏନେଇ କୋର୍ଟରେ ୨୦୨୨ ଅଗଷ୍ଟ ମାସ ୧୭ରେ ଅଭିଯୋଗ କରିଥିଲେ। ଶନିବାର ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ଫାଇନାନ୍ସ କମ୍ପାନୀ ପକ୍ଷରୁ ରାଜେଶ୍ୱର ରାଓ ଆଚାରୀ, ଚନ୍ଦ୍ରମଣି ମହାପାତ୍ର, ଭଗବାନ ସାହୁ ମାମଲା ପରିଚାଳନା କରୁଥିଲେ। ଅପରପକ୍ଷେ ଦଣ୍ଡ ପରେ ରଞ୍ଜନ ଉପର କୋର୍ଟରୁ ଜାମିନରେ ଯାଇଥିବା ଜଣାପଡ଼ିଛି।