ଟାଙ୍ଗୀ ପୋଲିସକୁ ବଦନାମ ପାଇଁ ଚକ୍ରାନ୍ତ ! ନିରପେକ୍ଷ କାର୍ଯ୍ୟକୁ ସହ୍ୟ କରିପାରୁନାହାନ୍ତି କିଛି ସ୍ୱାର୍ଥପର

ଚୌଦ୍ଵାର, (ଶିବବ୍ରତ ଦାସ ): କଟକ ଜିଲ୍ଲା ଟାଙ୍ଗୀ ଥାନା ପୋଲିସର ନିରପେକ୍ଷ ଓ କଡ଼ା କାର୍ଯ୍ୟଧାରାକୁ ନେଇ ଏବେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ବିଜେଡି ରାଜନୈତିକ ଦଳର କର୍ମୀ। ଲୋକଙ୍କ ମନରେ ପୋଲିସ ବିରୋଧୀ ମନୋଭାବ ସୃଷ୍ଟି କରିବା ପାଇଁ ସମୟ ସୁଯୋଗ ଦେଖି ଯୋଜନାବଦ୍ଧ ଭାବେ ଅପପ୍ରଚାର କରାଯାଉଥିବା ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ମଙ୍ଗୁଳି ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଘଟଣାରେ ଟାଙ୍ଗୀ ପୋଲିସ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେତେବେଳେ ଚୁପ୍ ରହିଥିବା ବ୍ୟକ୍ତି ବର୍ତ୍ତମାନ ବାଲିଅନ୍ତା ଘଟଣାକୁ ଆଧାର କରି ଟାଙ୍ଗୀ ପୋଲିସ ଉପରେ ପ୍ରଶ୍ନ ଉଠାଉଥିବା ଦେଖିବାକୁ ମିଳୁଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଯେଉଁ ଦାବି ଆଜି କରାଯାଉଛି, ସେହି ଦାବି ପୂର୍ବରୁ କାହିଁକି ଉଠିନଥିଲା? ଏବେ କିଛି ଦଲାଲ ଓ ସ୍ୱାର୍ଥପର ଗୋଷ୍ଠୀଙ୍କ ଇସାରାରେ ପୋଲିସକୁ ବଦନାମ କରିବା ପାଇଁ ମଞ୍ଚ ସଜାଯାଉଛି କି? ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଠିବା ସ୍ୱାଭାବିକ। ପୂର୍ବ ତୁଳନାରେ ଟାଙ୍ଗୀ ପୋଲିସ ବର୍ତ୍ତମାନ ଅଧିକ ସକ୍ରିୟ ଓ ନିରପେକ୍ଷ ଭାବେ କାମ କରୁଥିବା ଦେଖିବାକୁ ମିଳୁଛି। ଅବୈଧ କାରବାର ଓ ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କିଛି ମହଲର ନିଦ ହରାମ କରିଦେଇଥିବା ଚର୍ଚ୍ଚା ହେଉଛି। ଫଳରେ ପୋଲିସର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ଗଢ଼ାଯାଉଛି ନୂଆ ନୂଆ କାହାଣୀ। ତେବେ ସତ୍ୟ ହେଉଛି, ଆଇନ ତା’ ବାଟରେ ଚାଲିଲେ କିଛି ସ୍ୱାର୍ଥପରଙ୍କ ପେଟରେ ଯନ୍ତ୍ରଣା ହେବା ସ୍ୱାଭାବିକ। ଆଉ ଏହି ଯନ୍ତ୍ରଣାର ପ୍ରତିଫଳନ ଏବେ ଗଣମାଧ୍ୟମର କିଛି ଅଂଶରେ ସ୍ପଷ୍ଟ ଭାବେ ଦେଖାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।