ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାରେ ଯୋଗଦେଲେ ୨ ମନ୍ତ୍ରୀ, ୨ ବିଧାୟକ; ଅସୀମା ପଣ୍ଡାଙ୍କ ଗୀତରେ କମ୍ପିଲା ଭଞ୍ଜନଗର

ଭଞ୍ଜନଗର -୧୮/୦୫ : (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୨ ଦିନ ପରେ ଅର୍ଥାତ ଆସନ୍ତା ୨୦ ତାରିଖରେ ଉଦଯାପିତ ହେବ।ରବିବାର ୨ ଜଣ ମନ୍ତ୍ରୀ, ୨ ବିଧାୟକ ଅସ୍ଥାୟୀ ମଣ୍ଡପକୁ ଆସି ମା ‘ଙ୍କ ଦର୍ଶନ କରିଛନ୍ତି। ବାଣିଜ୍ୟ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଦେବୀଙ୍କ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ ସରକାର ଭଞ୍ଜନଗର ବିଧାୟକ ତଥା ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ରହି ଭଞ୍ଜନଗର ଯାତ୍ରା ଇତିହାସ ଉପରେ କହିଥିଲେ। ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧଵ ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା,ମ୍ୟୁନିସିପାଲଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ସଂପାଦକ ସୁଧୀର ରଞ୍ଜନ ବେହେରା,ଭାଜପା ନେତା ପ୍ରଭାକର ପଣ୍ଡା,ଜିତେନ୍ଦ୍ର ନାୟକ ସଭାରେ ଉପସ୍ଥିତ ଥିଲେ। ଭଞ୍ଜନଗର ମ୍ୟୁନିସିପାଲଟି ପକ୍ଷରୁ ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିରାଟ ଶୋଭାଯାତ୍ରା ଓ ଆତସବାଜିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଯାତ୍ରାରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବମୁଖା ହୋଇ ବାହାରିବା ପରେ ଟାଉନ ହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପଶ୍ଚିମମୁଖା ହୋଇ ମ୍ୟୁନିସିପାଲଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦେବୀ ପୂଜା ପାଇବା ପରେ ରେଡ଼କ୍ରସ ରୋଡ ହୋଇ ଭେଜିପୁଟ, ହାର୍ଟ ନଗର ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ବାହୁଡ଼ି କୋର୍ଟ ରୋଡ ହୋଇ ମୁଖ୍ୟ ସଡ଼କକୁ ଆସି ବିଳମ୍ବିତ ରାତିରେ ଦେବୀ ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଛି। ମ୍ୟୁନିସିପାଲଟି ପକ୍ଷରୁ କାର୍ଯ୍ୟକ୍ରମ ହୋଇଥିବା ଯୋଗୁ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।