ମନ୍ଦିରରେ ଘଣ୍ଟି ବିବାଦ: ଭୋଳାସିଂଗିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ୩ ଗିରଫ, ଦୁଇ ଜଣ ଫେରାର

ଚିକିଟି :-୧୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଭୋଳାସିଂଗି ଗ୍ରାମର ଲକ୍ଷ୍ମୀ ନୃସିଂହନାଥ ମନ୍ଦିରରେ ଘଣ୍ଟି ଲଗାଇବାକୁ ନେଇ ଦେଖାଦେଇଥିବା ବିବାଦ ମାରପିଟର ରୂପ ନେଇଛି। ଏହି ଘଟଣାରେ କେ. ନୂଆଗାଁ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଖବର ଅନୁ ଯାଇ
ଗ୍ରାମର ଅନିଲ ସାହୁ ନିଜ ନାମ ଖୋଦିତ ୧୧.୫ କେଜି ଓଜନର ପିତ୍ତଳ ଘଣ୍ଟି ମନ୍ଦିରକୁ ଦାନ କରିଥିଲେ। ମନ୍ଦିର କମିଟି ମତଭେଦ ଯୋଗୁଁ ଘଣ୍ଟି ଟାଙ୍ଗିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା ଓ ପାଲଟା ମାମଲା ମଧ୍ୟ ହୋଇଥିଲା।
ଗତ ୧୪ ମେ ରାତି ୧୦ଟା ବେଳେ ଅନିଲ ସାହୁଙ୍କ ପତ୍ନୀ ସ୍ୱପ୍ନା କୁମାରୀ ସାହୁ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀଙ୍କ ଘରକୁ ଯାଇ ଗାଳି କରିବାରୁ ଶ୍ରୀହରି ପାଣିଗ୍ରାହୀ, ଶୁଭମ ପାଣିଗ୍ରାହୀ ଓ ଅନିଲ ସାହୁଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏହାର ପ୍ରତିଶୋଧ ନେଇ ୧୬ ମେ ଦିନ ଅନିଲ ସାହୁ ଓ ତାଙ୍କ ସହଯୋଗୀମାନେ ଗାଁ ରାସ୍ତାରେ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିଲେ। ଥାନାରେ ବ୍ରେଥ୍ ଆନାଲାଇଜର ପରୀକ୍ଷାରୁ ଉଭୟ ପକ୍ଷ ଘଟଣା ସମୟରେ ମଦ୍ୟପ ଥିବା ସ୍ପଷ୍ଟ ହୋଇଛି।
ସ୍ୱପ୍ନା କୁମାରୀ ସାହୁଙ୍କ ଅଭିଯୋଗରେ କେ. ନୂଆଗାଁ ଥାନା କେସ୍ ନଂ ୧୧୮/୨୦୨୬ ଓ ଶ୍ରୀହରି ପାଣିଗ୍ରାହୀଙ୍କ ଅଭିଯୋଗରେ କେସ୍ ନଂ ୧୧୯/୨୦୨୬ ଵିଏନଏସ ର ବିଭିନ୍ନ ଦଫାରେ ରୁଜୁ ହୋଇଛି।
୧. ଶ୍ରୀହରି ପାଣିଗ୍ରାହୀ (୩୮), ପିତା-ପ୍ରଫୁଲ୍ଲ ପାଣିଗ୍ରାହୀ
୨. ରତ୍ନାକର ସାହୁ (୨୭), ପିତା-ହରିଶ୍ଚନ୍ଦ୍ର ସାହୁ
୩. ଅନିଲ ସାହୁ (୩୦), ପିତା-ନନ୍ଦ ସାହୁ
ସମସ୍ତେ ଭୋଳାସିଂଗି ଗ୍ରାମର।
ସମସ୍ତ ଅଭିଯୁକ୍ତଙ୍କୁ ଆଜି ପାତ୍ରପୁର JMFC କୋର୍ଟରେ ହାଜର କରାଯାଇଛି। ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ ଓ ଶୁଭମ ପାଣିଗ୍ରାହୀ ଓରଫ ନୀଳମାଧବ ଫେରାର ଅଛନ୍ତି। ଉଭୟ ମାମଲାର ତଦନ୍ତ ଜାରି ରହିଛି।