ଚଳନ୍ତା ଟ୍ରକ ଆଗକୁ ଡେଇଁ ଆତ୍ମହତ୍ୟା

ସେମିଳିଗୁଡ଼ା (ପ୍ରଭାତ କୁମାର ସୁତାର, ଓଡିଶା ଟୁଡେ) ସେମିଳିଗୁଡ଼ା ସହରରେ ସୋମ‌ବାର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଚଳନ୍ତା ଟ୍ରକ୍ ଚକା ତଳେ ପଶି ଜଣେ ଯୁବକ ଆତ୍ମହତ୍ୟା କରିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ମୃତକ ଜଣଙ୍କ ହେଲେ ସେମିଳିଗୁଡ଼ା ସହରର ଉପର ଗାଦବା ସାହିର ପରଦେଶୀ ଆମାପାଡ଼ିଆ |
ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ,ସୋମବାର ସକାଳ ପ୍ରାୟ ସାଢ଼େ ୧୧ଟାରେ ସେମିଳିଗୁଡା ଟ୍ରାଫିକ ଛକ ନିକଟରେ ପରଦେଶୀ ଆମାପାଡ଼ିଆ ଲମ୍ଫ ମାରି ଏକ ଚଳନ୍ତା ଟ୍ରକ୍‌ର ଚକାରେ ପଶି ଯାଇଥିଲେ | ଟ୍ରକ୍ ପରଦେଶୀଙ୍କ ଶରୀରରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଏହି ଘଟଣା ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ। ଘଟଣା ପରେ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ସେମିଳିଗୁଡ଼ା ପୁଲିସ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ ସଂଗ୍ରହ କରିଛି। ଏ ନେଇ ମୃତ ପରଦେଶୀଙ୍କ ପରିବାର ସେମିଳିଗୁଡା ଥାନାରେ ଏତଲା ଦେଇଛନ୍ତି। ସଂପୃକ୍ତ ଟ୍ରକ୍ ପରଦେଶୀଙ୍କୁ ଧକ୍କା ଦେଇଥିବାରୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି| ସେମିଳିଗୁଡ଼ା ପୁଲିସ କେଶ୍ ନଂ-୭୪/୨୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ବଡ଼ ମେଡିକାଲ ପଠାଯାଇଛି। ତେବେ ପରଦେଶୀ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଭାତ କୁମାର ସୁତାରଙ୍କ ରିପୋର୍ଟ, ଓଡ଼ିଶା ଟୁଡେ