ସିଂହବାହିନୀ ବେଶରେ ବ୍ୟାଘ୍ରଦେବୀଙ୍କ ନଗର ଭ୍ରମଣ; ଅର୍ଚ୍ଚନା ପାଢ଼ୀ ଙ୍କ ଗୀତରେ ଝୁମିଲା ଭଞ୍ଜନଗର

ଭଞ୍ଜନଗର -୨୦/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୨୪ ଦିନରେ ପହଞ୍ଚିଛି। ସନ୍ଧ୍ୟା ସାଢେ ୭ଟାରେ ମା ‘ବ୍ୟାଘ୍ରଦେବୀ ଏବଂ ଠାକୁରାଣୀଙ୍କ ଆଳତି ହୋଇଥିଲା। ଏହି ସମୟରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ତଥା ଯାତ୍ରା କମିଟି ମୁଖ୍ୟ ଉମାଶଙ୍କର ବେହେରା, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, ସଂଗଠନ ସମ୍ପାଦକ ତଥା ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମା ‘ବ୍ୟାଘ୍ରଦେବୀ ସିଂହବାହିନୀ ବେଶରେ ନଗର ଭ୍ରମଣରେ ବାହାରିଥିଲେ। ଥାନା ନିକଟରେ ପୂଜା ପାଇଥିଲେ, ଥାନାଧିକାରୀ ଜୀବନାନନ୍ଦ ଜେନା ଥାନା ଫାଟକ ଆଗରେ ଦେବୀ ପୂଜା ଅର୍ଚନା କରିଥିଲେ । ଦେବୀ ତହସିଲ ଅଫିସ ପର୍ଯ୍ୟନ୍ତ ଯାଇଥିଲେ।ସେଠାରୁ ପୁଣି ପଶ୍ଚିମମୁଖା ହୋଇ ଫେରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ସେଠାରେ ଦେବୀ ସିଂହ ପ୍ରତିକୃତି ଉପରେ ବସି ରହିଥିଲେ। ରାତିରେ ବଡକୋଦଣ୍ଡାର ମହାଭାରତ, ମୁଜାଗଡ଼ର କଂସବଧ ଏବଂ କୃଷ୍ଣ ଦଧୀମନ୍ଥନ ନାଟକ ପରିବେଷଣ ହେବ। ବୁଧବାର ନାଟକ ସାରିବାପରେ ସନ୍ଧ୍ୟାରେ ଦେବୀଙ୍କ ବାହୁଡା଼ ଯାତ୍ରା ହେବ। ୨ ଦେବୀଙ୍କୁ ଜାମପଲ୍ଲୀ ଛକ ପର୍ଯ୍ୟନ୍ତ ନିଆଯିବ। ସେଠାରେ ଭେଟ ଯାତ୍ରା ହେବା ପରେ ମା ‘ବ୍ୟାଘ୍ରଦେବୀଙ୍କୁ ଶୋଭାଯାତ୍ରାରେ କୁଲାଡ଼ସ୍ଥିତ ସ୍ଥାୟୀ ମନ୍ଦିରକୁ ନିଆଯିବ। ସେହିଭଳି ଦେବୀ ଠାକୁରାଣୀ ବନ ବିଭାଗ ଡାକବଙ୍ଗଳା ରୁ ପଛକୁ ଫେରି ସ୍ଥାୟୀ ମନ୍ଦିରକୁ ଫେରିବେ। ଏହାପରେ ଅନୁଷ୍ଠାନିକ ଭାବେ ଯାତ୍ରା ଉଦଯାପିତ ହେବ। ପୁଣି ୩ ବର୍ଷ ପରେ ଯାତ୍ରା ହେବ। ମଙ୍ଗଳବାର ସନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ଡ଼. ଅର୍ଚନା ପାଢୀ ସଂସ୍କୃତିକ କାର୍ଯ୍ୟକ୍ରମ ଯୋଗଦେଇ ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ସଂଯୋଜନା କରିଥିଲେ। ମଙ୍ଗଳବାର ସନ୍ଧ୍ୟା ରେ ଖାଲାସାହି ସ୍ଥିତ ଶିଶୁ ଉଦ୍ୟାନ ଠାରେ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ଉକ୍ତ କାର୍ଯ୍ୟକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶୁଭାରମ୍ଭ କରିଥିଲେ ।