
ଭଞ୍ଜନଗର: ୨୭/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ): ପୁଲିସକୁ ଚକମା ଦେଇ ଗଞ୍ଜେଇ ଚାଲାଣକାରି ଖସିବାକୁ ଉଦ୍ୟମ ବେଳେ କାବୁ କରିଛି ଭଞ୍ଜନଗର ପୁଲିସ। କନ୍ଧମାଳରୁ ଦଶପଲ୍ଲା ଆଡ଼କୁ କାର ରେ ଗଞ୍ଜେଇ ନେଉଥିବା ବେଳେ ପଡ଼ିଥିଲେ ପୁଲିସ ହାବୁଡେ। ଭଞ୍ଜନଗର ଥାନା ଅଧିନ ଭେରେଡା ଛକ ଠାରେ କାର ଅଟକାଇବା ସହ ସେଥିରୁ ୪୫.୩୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଏସଆଇ ଲକ୍ଷ୍ମୀଧର ମହାନ୍ତି ଦିନ ବେଳା ପେଟ୍ରୋଲିଂ କରୁଥିବା ସମୟରେ ଗାଡ଼ିରେ କାର ଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ସେ ଦଶପଲ୍ଲା ମୁଖ୍ୟ ରାସ୍ତାରେ ଗାଡ଼ି ମଟର ଯାଞ୍ଚ କରୁଥିବା ସମୟରେ ଏକ କାର ଦ୍ରୁତ ଗତିରେ ପଳାଇଥିଲା। ଏହାପରେ ସେ ସେମାନଙ୍କୁ ପିଛା କରି ଭେରେଡ଼ା ଛକ ନିକଟରେ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ଦୁଇଟି ଜରି ବ୍ୟାଗ୍ ରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଦାରିଙ୍ଗିବାଡି ଅଞ୍ଚଳର ସିଦ୍ଧାନ୍ତ ନାୟକ ଏବଂ ଫିରିଙ୍ଗିଆ ଅଞ୍ଚଳର ଦେବେନ୍ଦ୍ର ଦିଗାଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ନିକଟରୁ ୪୫.୩୪୦ କେଜି ଗଞ୍ଜେଇ ସହ ୧୦୦୦ ଟଙ୍କା ଆଉ ଓଡ଼ି ୦୭ ଏୱାଇ ୫୫୮୪ ନମ୍ୱର୍ ବିଶିଷ୍ଟ କାରକୁ ଜବତ କରାଯାଇ କେସ ନମ୍ବର ୪୭୪ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଶ୍ରୀ ଜେନା ନିଜେ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।