
ବୁଗୁଡ଼ା,୨୭/୦୫ (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ୍ କଲୋନୀ ସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଅନନ୍ତ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ଓ ପୋଲସରା ବ୍ଲକର ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା କୃତୀ ଛାତ୍ରଛାତ୍ରୀ ଏବଂ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷାର ବ୍ଲକ ଟପ୍ପରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନନ୍ତ ଫାଉଣ୍ଡେସନର ଅଧ୍ୟକ୍ଷ ବିକାଶ କୁମାର ମଲ୍ଲିକ ଏବଂ ସମ୍ପାଦକ ସୌଭାଗ୍ୟ ରଂଜନ ସ୍ୱାଇଁ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ସମାଜ ଗଠନରେ ମେଧାବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ବୁଗୁଡ଼ା ଓ ପୋଲସରା ଅଞ୍ଚଳର ଦଶମ ପରୀକ୍ଷାରେ ଅନେକ ଏ-୧ ଗ୍ରେଡ୍ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସମେତ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ପରୀକ୍ଷାରେ ବୁଗୁଡ଼ା ଏବଂ ପୋଲସରା ବ୍ଲକ ଟପ୍ପର ହୋଇ ସଫଳତା ହାସଲ କରିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ ପକ୍ଷରୁ ମନ୍ତ୍ରୀଙ୍କ ଦ୍ୱାରା ମାନପତ୍ର, ସ୍କୁଲ ବ୍ୟାଗ, ହାତ ଘଣ୍ଟା ଏବଂ ଏକ ଡାଏରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।