
ଚୌଦ୍ୱାର (ଶିବବ୍ରତ ଦାସ ) ରାତିରେ ଭୋଲ୍ଟେଜ୍ ଲୁକାଚୁରି ଖେଳିଲା, ଆଉ ଲୋକେ ଗରମରେ ହାଫିଲେ—କିନ୍ତୁ ବିଦ୍ୟୁତ୍ ବିଭାଗ ତଥାପି ଗଭୀର ନିଦ୍ରାରେ!ଟାଟା ବିଦ୍ୟୁତ୍ ବିଭାଗର ଚୌଦ୍ଵାର ଏସ.ଡି.ଓ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଦେଖିବାକୁ ମିଳିଲା ଗରମ ରେ ଗରମ ପ୍ରତିବାଦ। ରାଜ୍ୟ ମାନବାଧିକାର ପରିଷଦର ସଭାପତି ସସ୍ମିତା ଦାସ, ବିଦ୍ୟୁତ୍ ଅସ୍ଥିରତାରେ ପ୍ରଭାବିତ ହୋଇ, ଏକ ଘଣ୍ଟାରୁ ଅଧିକ ସମୟ ଧରି ଧାରଣାରେ ବସିଥିଲେ। ଗତକାଲି ରାତି ପ୍ରାୟ ୧୧ଟା—ଏକ ପକ୍ଷରେ ଲୋକେ ଶୁଅ ଆଗରୁ ସୁବିଧା ଚାହୁଁଥିଲେ, ଅନ୍ୟ ପକ୍ଷରେ ଭୋଲ୍ଟେଜ୍ ହେଲା ହାଇ-ଲୋ ର ନାଟକ। ପଖା ଘୁରିବାକୁ ମନ କରିଲା ନାହିଁ, ଆଉ ଘରେ ଘରେ ଗରମରେ ଲୋକେ ହେଲେ ବେସ୍ତ। କିଛିଦିନ ପୂର୍ବରୁ ଏହି ଭୋଲ୍ଟେଜ୍ ଖେଳରେ ଫ୍ରିଜ୍, ଟିଭି, ଏସି, କୁଲର ପର୍ଯ୍ୟନ୍ତ “ବଲିଦାନ” ଦେଇସାରିଛି। ତଥାପି ବିଭାଗର କାନରେ ଜୁଇଁ ମଧ୍ୟ ଗୋଡ଼ ଦେଉନାହିଁ। ଲାଇନ୍ ମ୍ୟାନଙ୍କୁ ଫୋନ୍ କଲେ? ଉତ୍ତର “କାଲି ସକାଳେ ଦେଖିବୁ”! ମାନେ ରାତିଟା ଲୋକେ ଗରମରେ ପୋଡ଼ିବେ, ତାହା ବିଭାଗ ପାଇଁ ସାଧାରଣ କଥା! ଏହାର ପ୍ରତିବାଦରେ ଆଜି ସସ୍ମିତା ଦାସ ଏସ.ଡି.ଓ କାର୍ଯ୍ୟାଳୟରେ ବସି କହିଲେ ସରକାର ଅଘୋଷିତ ବିଦ୍ୟୁତ୍ କାଟ ଉପରେ କଡା ନିର୍ଦ୍ଦେଶ ଦେଉଛନ୍ତି, କିନ୍ତୁ ଚୌଦ୍ଵାରରେ ସେଥିରେ କେବଳ କାଗଜୀ ନିୟମ! ଏପଟେ ଏସ.ଡି.ଓଙ୍କ ଯୁକ୍ତି କେହି କେହି ଲାଇନ୍ ଚୋରି କରି ଏସି ଚଲାଉଛନ୍ତି, ତେଣୁ ଏହି ସମସ୍ୟା। କିନ୍ତୁ ପ୍ରଶ୍ନ ହେଉଛି ଚୋରି ଚାଲିଥିବା ବେଳେ ବିଭାଗ କାହିଁକି ଚୁପ୍? ଶେଷରେ ସାନ୍ତ୍ବନା ଓ ପ୍ରତିଶ୍ରୁତିର ଠଣ୍ଡା ପବନ ଦେଇ, “ଶୀଘ୍ର କାର୍ଯ୍ୟାନୁଷ୍ଠାନ” ର ଆଶ୍ୱାସନ ଦେଇ ଧାରଣାକୁ ଶେଷ କରାଗଲା। ଦେଖିବାକୁ ବାକୀ ଏହି ପ୍ରତିଶ୍ରୁତି ମଧ୍ୟ ଭୋଲ୍ଟେଜ୍ ଭଳି ହାଇ-ଲୋ ହେବ କି, ନା ସତରେ ଚୌଦ୍ଵାର ବାସୀ ଆଉ ଗରମରେ ପୋଡ଼ିବେ ନାହିଁ!