ଭାରି ହେଲା ଗୃପ୍ ଋଣ ଭାର..ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଭଂଜନଗର -୧୩/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) ଅସହ୍ୟ ହେଲା ଗୃପ୍ ଋଣ ଭାର । ବେକରେ ରସି ଲଗାଇ ଜଣେ ଆଦିବାସୀ ଯୁବକଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭଂଜନଗର ଥାନା ଅନ୍ତର୍ଗତ ଲାଲସିଙ୍ଗିପଲ୍ଲୀ ଗାଁ ନିକଟରେ ଘଟିଛି ଘଟଣା । ମୃତ ଯୁବକ ଜଣକ ହେଲେ, ଲାଲସିଙ୍ଗିପଲ୍ଲୀ ଗାଁର ଅଥୟ ମଳିକ (୩୫) । ଗାଁ ଠାରୁ କିଛି ଦୂରରେ ରହିଥିବା ଏକ ତୋଟା ନିକଟ ଗଛରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ଗତ ଶୁକ୍ରବାର ସନ୍ଧ୍ୟା ରୁ ସେ ନିଖୋଜ ରହିଥିଲେ । ଘଟଣା ସ୍ଥଳରେ ଭଂଜନଗର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି, ବ୍ୟବଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସମ୍ପର୍କୀୟଙ୍କ କହିବା ପ୍ରକାରେ, କିଛି ଗୃପ୍ ରୁ ଋଣ କରିଥିଲେ ଅଥୟ । ପରେ ପରେ ଋଣ ପରିଶୋଧ କରିବା ତାଙ୍କ ପାଇଁ କଷ୍ଟକର ହେବା ସହ, ଋଣ ଦେଇଥିବା କିଛି ଗୃପ୍ ସଦସ୍ୟ ମାନେ ତାଙ୍କ ଉପରେ ଚାପ ପକାଉଥିଲେ । ଫଳରେ ମାନସିକ ଭାରସାମ୍ୟ ହରାଇ, ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି । ତାଙ୍କ ପରିବାରର ରୋଗଗ୍ରସ୍ତ ବୁଢ଼ୀ ମା ଏବେ ଶଯ୍ୟାଶାୟୀ ରହିଥିବା ବେଳେ, ତାଙ୍କର ୩ ଟି ଛୋଟ ଛୁଆ ରହିଛନ୍ତି । ଏବେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଥିବା ବେଳେ, ଋଣ ଯନ୍ତ୍ରଣା ଏବେ ଗୋଟିଏ ପରିବାରକୁ ଉଜାଡ଼ି ଦେଇଥିବା ନେଇ ଚର୍ଚ୍ଚା ହେଉଛି ।