୫ ଦିନର ଚିକିତ୍ସା ପରେ ଆଖି ବୁଜିଲେ ଗୋକୁଳ; ମୁଖାଗ୍ନି ଦେଇ ପୁଅର କର୍ତ୍ତବ୍ୟ ନିଭାଇଲା ଚାରିଟେବୁଲ ଟ୍ରଷ୍ଟ

ଜଗନ୍ନାଥ ପ୍ରସାଦ ୨୫/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଦକ୍ଷିଣାଞ୍ଚଳ ସ୍ଵତନ୍ତ୍ର ପ୍ରତିନିଧି, ଓଡ଼ିଶା ଟୁଡେ) :ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ପୁଣି ଥରେ ମାନବିକତାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ଅପରିଚିତ ବୃଦ୍ଧଙ୍କ ଶେଷ ସତ୍କାର କରି ଏକ ସ୍ୱେଚ୍ଛାସେବୀ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସମାଜ ପାଇଁ ପ୍ରେରଣା ସାଜିଛି।ସୂଚନା ଅନୁଯାୟୀ, ଗତ ୫ ଦିନ ହେବ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବୃଦ୍ଧ ଅସୁସ୍ଥତା ଯୋଗୁଁ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ସେ ନିଜର ନାମ ଗୋକୁଳ ଦାସ ବୋଲି ପରିଚୟ ଦେଇଥିଲେ। ଅନେକ ଦିନ ଧରି ସେ ଭିକ୍ଷା କରି କରସିଂ ବସ ଷ୍ଟପ ରେ ଦୀର୍ଘ ଦିନ ହେଲା ରହୁଥିଲେ I ତାଙ୍କର ପରିବାର କିମ୍ବା କୌଣସି ସମ୍ପର୍କୀୟଙ୍କ ସେଭଳି କିଛି ପତ୍ତା ମିଳିନଥିଲା। ଆଜି ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ମଧ୍ୟ ହସ୍ପିଟାଲରେ ତାଙ୍କର ଶବକୁ ନେବା ପାଇଁ କେହି ଆଗେଇ ଆସିନଥିଲେ।ଏହି ଖବର ପାଇ ସ୍ଥାନୀୟ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ସନ୍ତୋଷ କୁମାର ଦଳବେହେରା, ଶଙ୍କର ଗୌଡ଼ , ସୁଶାନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ , ଗିରିଧାରୀ ଡାକୁଆ, କୃଷ୍ଣ ଚନ୍ଦ୍ର ସେଠୀ, ମହେଶ୍ୱର ସାହୁ ସମେତ କିଛି ସଦସ୍ୟ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ମେଡିକାଲ ଅଧିକାରୀ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ଆନୁଷଙ୍ଗିକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ନିଜ ଦାୟିତ୍ୱକୁ ନେଇ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ଶ୍ମଶାନରେ ତାଙ୍କର ଶେଷ ସତ୍କାର କରିଥିଲେ। ଟ୍ରଷ୍ଟର ସଦସ୍ୟମାନେ କହିଛନ୍ତି ଯେ, “ଜନ୍ମ ଯେଉଁଠି ବି ହେଉ, ମୃତ୍ୟୁ ପରେ ସମ୍ମାନର ସହ ବିଦାୟ ନେବା ପ୍ରତ୍ୟେକ ବ୍ୟକ୍ତିର ଅଧିକାର।”ରକ୍ତର ସମ୍ପର୍କ ନଥାଇ ମଧ୍ୟ ମାଧବ ସେବା ମନୋଭାବ ନେଇ ଟ୍ରଷ୍ଟର ସଦସ୍ୟମାନେ କରିଥିବା ଏଭଳି ମହତ କାର୍ଯ୍ୟକୁ ଜଗନ୍ନାଥପ୍ରସାଦ ଅଞ୍ଚଳବାସୀ ଏବଂ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି।