ଚୌଦ୍ୱାର ରକ୍ତଦାନ ଶିବିରରେ ହାସ୍ୟାସ୍ପଦ ସ୍ଥିତି: ପ୍ରଚାରରେ ୩୩ ୟୁନିଟ୍, ପ୍ରମାଣପତ୍ର କିନ୍ତୁ ଶୂନ୍ୟ!

ଚୌଦ୍ୱାର(ଶିବବ୍ରତ ଦାସ ):ଚୌଦ୍ୱାର ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଥିବା ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ଏକ ବିଚିତ୍ର ତଥା ହାସ୍ୟାସ୍ପଦ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ରକ୍ତଦାନକୁ ମହାନ ଦାନ ବୋଲି କୁହାଯାଉଥିବା ବେଳେ, ଏଠାରେ ଆୟୋଜକଙ୍କ ପ୍ରଚାର ସର୍ବସ୍ୱ ମନୋଭାବ ଯୋଗୁଁ ସମଗ୍ର ଶିବିର ଏବେ ପ୍ରଶ୍ନଘେରରେ।ମିଳିଥିବା ସୂଚନା ଅନୁଯାୟୀ, ଶିବିର ଶେଷ ହେବା ପରେ ଆୟୋଜକ କମିଟି ପକ୍ଷରୁ ସାମାଜିକ ଗଣମାଧ୍ୟମ (Social Media)ରେ ବେଶ୍ ଜୋରସୋରରେ ପ୍ରଚାର କରାଯାଇଥିଲା ଯେ, ଶିବିରରୁ ମୋଟ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଆୟୋଜକମାନେ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟ ମଧ୍ୟ ସେୟାର କରିଥିଲେ।ତେବେ ପ୍ରକୃତ ବିଭ୍ରାଟ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ରକ୍ତ ଭଣ୍ଡାର (Blood Bank) ପକ୍ଷରୁ ମିଳିଥିବା ସରକାରୀ ପ୍ରମାଣପତ୍ରର ଫଟୋ ସାମ୍ନାକୁ ଆସିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉକ୍ତ ଅଫିସିଆଲ ପ୍ରମାଣପତ୍ରରେ କେତେ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି, ସେହି ସ୍ଥାନଟି ସମ୍ପୂର୍ଣ୍ଣ ଖାଲି ପଡ଼ିଛି। ସେଥିରେ କୌଣସି ସଂଖ୍ୟା ଉଲ୍ଲେଖ ନାହିଁ।ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏବଂ ବୁଦ୍ଧିଜୀବୀମାନେ ହସାହସି ହେବା ସହ ଆୟୋଜକଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। କେବଳ ସୋସିଆଲ ମିଡିଆରେ ବାହାବା ନେବା ପାଇଁ ଆୟୋଜକମାନେ ମନଗଢ଼ା ୩୩ ୟୁନିଟ୍ ରକ୍ତର ମିଥ୍ୟା ଦାବି କରୁଥିଲେ କି ବୋଲି ଚର୍ଚ୍ଚା ହେଉଛି। ରକ୍ତ ଭଣ୍ଡାରର ପ୍ରମାଣପତ୍ରରେ ସଂଖ୍ୟା ନ ରହିବା ପଛର ପ୍ରକୃତ କାରଣ କଣ ଏବଂ ଆୟୋଜକ କେଉଁ ଆଧାରରେ ୩୩ ୟୁନିଟ୍ ରକ୍ତର ପ୍ରଚାର କରୁଛନ୍ତି, ତାହା ଏବେ ଏକ ବଡ଼ ରହସ୍ୟ ହୋଇ ରହିଛି।