ରାଜପଥ ଠିକସଂସ୍ଥାକୁ ଦାଗିଦ ଡ୍ରେନ କାର୍ଯ୍ୟ ଆରମ୍ଭ ନହେଲେ ମଙ୍ଗଳବାର ଧାରଣାରେ ବସିବେ ସମାଜସେବୀ ସସ୍ମିତା ଦାସ

ଚୌଦ୍ୱାର (ଶିବବ୍ରତ ଦାସ )ଠିକା ସଂସ୍ଥାର ଅବହେଳା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଅଳ୍ପ ବର୍ଷାରେ ଜଳମଗ୍ନ ହେଉଛି ଚୌଦ୍ଵାର ସହର। ଚୌଦ୍ଵାର ମଧ୍ୟ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଚାଲିଥିବା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚୌଦ୍ଵାରବାସୀଙ୍କୁ ଜଳବନ୍ଦୀର ସମସ୍ୟା ଭୋଗିବାକୁ ପଡ଼ୁଛି।
ଡ୍ରେନ୍ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଓ ଠିକା ସଂସ୍ଥାର ଅବହେଳାକୁ ନେଇ ଚୌଦ୍ଵାର ସମାଜସେବୀ ସସ୍ମିତା ଦାସ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ସେ ଟ୍ୱିଟ୍ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ। ଏହାପରେ ଠିକା ସଂସ୍ଥାର ଚେତା ପଶିଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଚୌଦ୍ଵାର ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଠିକା ସଂସ୍ଥାର କର୍ମଚାରୀ ଓ ସମାଜସେବୀ ସସ୍ମିତା ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ଠିକା ସଂସ୍ଥା ପକ୍ଷରୁ ସୋମବାର ସୁଦ୍ଧା ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଶେଷ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।
ତେବେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନର ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛନ୍ତି ସସ୍ମିତା ଦାସ। ଆବଶ୍ୟକ ପଡ଼ିଲେ ସେ ଧାରଣାରେ ବସିବେ ବୋଲି କହିଛନ୍ତି।ଏବେ ଦେଖିବାକୁ ବାକି ରହିଲା—ସମାଜସେବୀଙ୍କ ଟ୍ୱିଟ୍ ପରେ ଜାଗିଥିବା ଠିକା ସଂସ୍ଥା ସତରେ ସୋମବାର ସୁଦ୍ଧା କାମ ଆରମ୍ଭ କରୁଛି ନା କେବଳ ପ୍ରତିଶ୍ରୁତି ଦେଇ ପୁଣି ନିରବ ହୋଇଯାଉଛି।