
ବୁଗୁଡ଼ା,୨୬/୦୭(ସୋରେନ କୁମାର ପ୍ରଧାନ):ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ବୁଗୁଡ଼ା ସହରର ବଳଦେବଜୀଙ୍କ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ “ଅଧରପଣା” ନୀତି ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ରଥାରୂଢ଼ ଥିବା ସମୟରେ ଠାକୁରମାନଙ୍କ ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ମାଟିପାତ୍ରରେ ସୁବାସିତ, ସ୍ୱାଦିଷ୍ଟ ପଣା ପ୍ରସ୍ତୁତ କରାଯାଇ ନିବେଦନ କରାଯାଇଥିଲା। ପୂଜାର୍ଚ୍ଚନା ଓ ଭୋଗ ନୀତି ପରେ ରଥ ଉପରେ ଏହି ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଥିଲା। ବିଶ୍ୱାସ ରହିଛି ଯେ, ରଥ ପାର୍ଶ୍ୱରେ ଥିବା ଅଶରୀରୀ ଆତ୍ମା, ପାର୍ଶ୍ୱଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଧାର ଏବଂ ସନ୍ତୁଷ୍ଟି ପାଇଁ ଏହି ଅଧରପଣା ନୀତି ସମ୍ପାଦିତ ହୋଇଥାଏ।ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା।