ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ପ୍ରତିନିଧି ଚୟନକୁ ଅବୈଧ କହିଲେ ଜ୍ଞ୍ୟାନେନ୍ଦ୍ର ସ୍ୱାଇଁ

ଚୌଦ୍ୱାର (ଶିବବ୍ରତ ଦାସ ) ଚୌଦ୍ୱାର ପୌରପାଳିକାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର କଟକ ଜିଲ୍ଲାପାଳଙ୍କୁ ଲେଖିଥିବା ଏକ ଚିଠି ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଚିଠିରେ ଚୌଦ୍ୱାର ପୌରପାଳିକା ପାଇଁ ପ୍ରେମଚାନ୍ଦ ନାୟକଙ୍କୁ ସାଂସଦଙ୍କ ପ୍ରତିନିଧି ଭାବେ ଉଲ୍ଲେଖ କରାଯାଇଥିବା ବେଳେ, ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଆଜି ଚୌଦ୍ୱାର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଏକ ସରକାରୀ ଚିଠି ବର୍ତ୍ତମାନ ଚୌଦ୍ୱାରରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଚୌଦ୍ୱାର ପୌରପାଳିକା କ୍ଷେତ୍ରରେ ପ୍ରେମଚାନ୍ଦ ନାୟକ ସାଂସଦଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିବେ। ଏହି ଚିଠି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ବିଭିନ୍ନ ସ୍ତରରେ ଏହାକୁ ନେଇ ଆଲୋଚନା ସମାଲୋଚନା ଆରମ୍ଭ ହୋଇଛି। କେହି ଏହାକୁ ସାଂସଦଙ୍କ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ବୋଲି କହୁଥିବା ବେଳେ, ଆଉ କେହି ଏହାର ବୈଧତା ଓ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏହାରି ମଧ୍ୟରେ ଆଜି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ଚୌଦ୍ୱାର ପୌରପାଳିକାରେ ପହଞ୍ଚି ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ସେ ଏହି ନିଯୁକ୍ତି କେଉଁ ଆଧାରରେ କରାଯାଇଛି, ଏହାର ନିୟମାବଳୀ କ’ଣ ଏବଂ ପୌରପାଳିକା ପକ୍ଷରୁ ଏହାକୁ କିପରି ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦାବି କରିଥିବା ଜଣା ପଡ଼ିଛି। ଦାବିପତ୍ର ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜ୍ଞାନେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଜନସାଧାରଣଙ୍କ ମନରେ ଏହି ପ୍ରସଙ୍ଗକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ସେଥିପାଇଁ ପୌରପାଳିକା ପକ୍ଷରୁ ଏହାର ସ୍ପଷ୍ଟ ଉତ୍ତର ଆସିବା ଆବଶ୍ୟକ। ଅନ୍ୟପଟେ ଏହି ଚିଠିକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭିନ୍ନ ଭିନ୍ନ ମତାମତ ସାମ୍ନାକୁ ଆସୁଛି। କେହି ଏହାକୁ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା ବୋଲି କହୁଥିବା ବେଳେ, ଆଉ କେହି ଏହାର ଆଇନଗତ ଓ ପ୍ରଶାସନିକ ଦିଗକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହି ପ୍ରସଙ୍ଗରେ ଚୌଦ୍ୱାର ପୌରପାଳିକା, କଟକ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କ ପକ୍ଷରୁ ଯଦି କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଆସେ, ତାହା ପରେ ସମଗ୍ର ଘଟଣାର ପ୍ରକୃତ ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ।ତେବେ ଗୋଟିଏ ଚିଠିକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଆଗାମୀ ଦିନରେ କେଉଁ ମୋଡ଼ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।