
ଚୌଦ୍ୱାର (ଶିବବ୍ରତ ଦାସ ): ଚାରବାଟିଆ ସ୍ଥିତ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) କ୍ୟାମ୍ପ ପରିସରରେ ଦେଶର ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆଇଟିବିପି ନିର୍ଦ୍ଦେଶକ ପ୍ରଦୀପ ସିଂହ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତାଙ୍କ ସହ ସଂସ୍ଥାର ବରିଷ୍ଠ ଅଧିକାରୀ ତାରେନ୍ଦ୍ର କୁମାର ଜୈନଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ତ୍ୱାବଧାନରେ ସମଗ୍ର ସ୍ୱାଧୀନତା ଦିବସ ସମାରୋହ ସଫଳତାର ସହ ଆୟୋଜିତ ହୋଇଥିଲା।ଏହି ରଙ୍ଗାରଙ୍ଗ ଉତ୍ସବରେ ଆଇଟିବିପିର ସନ୍ତ୍ରାସବାଦ ବିରୋଧୀ ଓ ସୀମା ସୁରକ୍ଷା ବାହିନୀର ଯବାନମାନେ ସାମିଲ ହୋଇ ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ। ଏହା ସହିତ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହର ସହ ଏହି ସ୍ୱାଧୀନତା ଦିବସ ପ୍ୟାରେଡ଼ରେ ଭାଗ ନେଇ ନିଜର ଦେଶପ୍ରେମ ପ୍ରଦର୍ଶନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ସିଂହ ଦେଶର ସୁରକ୍ଷା ଏବଂ ପ୍ରଗତିରେ ଆଇଟିବିପି ଯବାନମାନଙ୍କ ଅତୁଳନୀୟ ଅବଦାନକୁ ପ୍ରଶଂସା କରିବା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କୁ ଦେଶ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର କୋମଳମତି ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।