
ଚିକିଟି(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଆଜି ଦିଲ୍ଲୀରେ କେନ୍ଦ୍ରୀୟ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଚିକିଟି ନିର୍ବାଚନ ମଣ୍ଡଳୀର ରେଳ ସମ୍ପର୍କିତ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା । ତାଙ୍କର ନେତୃତ୍ୱ ଓ ଦୂରଦୃଷ୍ଟି ପାଇଁ ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହେଉଛି ଯାହା ପାଇଁ ଆମେ ତାଙ୍କୁ କୃତଜ୍ଞତା ଜଣାଉଛୁ ବୋଲି କହିଛନ୍ତି ଚିକିଟି ବିଧାୟକ।ଚିକିଟି ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଦୀର୍ଘଦିନର ଦାବି ଗୁଡ଼ିକୁ ସେ ରେଳ ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିବା କହିଛନ୍ତି। ଗୁଡିପଦର ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ, ସୁରଳ ରୋଡ ଷ୍ଟେସନରେ ଅଧିକ ଟ୍ରେନର ରହଣି, ସୁରଳ କିମ୍ବା ଗୋଳନ୍ଥରା ନିକଟରେ ଏକ କୋଚ୍ ଡିପୋ ସ୍ଥାପନ ଏବଂ ବ୍ରହ୍ମପୁରରେ ସମସ୍ତ ଦୂରଗାମୀ ଟ୍ରେନ୍ର ରହଣି ପ୍ରଭୃତି ବିଷୟରେ ଆଲୋଚନା କରିଛନ୍ତି।ଓଡିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ର ବିସ୍ତାର, ହାଓଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍ ଏବଂ ରାଞ୍ଚି-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ୍କୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିସ୍ତାର କରିବା ପାଇଁ ମଧ୍ୟ ଅନୁରୋଧ କରିଥିବା କହିଛନ୍ତି ଚିକିଟି ବିଧାୟକ। ଏହି ସବୁ ପ୍ରକଳ୍ପ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ରେଳ ସଂଯୋଗକୁ ମଜବୁତ କରିବ ବୋଲି ମଧ୍ୟ ସେ ଆଶା ପ୍ରକଟ କରିଛନ୍ତି ।ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ଅତ୍ୟନ୍ତ ସହୃଦୟତାର ସହ ସମସ୍ତ ଦାବିକୁ ଶୁଣିଲେ ଏବଂ ସମ୍ଭାବ୍ୟ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଆଶ୍ୱାସନା ଦେଇଥିବା ଚିକିଟି ବିଧାୟକ ପ୍ରକାଶ କରିଛନ୍ତି। ଏହା ମଧ୍ୟ ସେ ବିଶ୍ୱାସ କହିଛନ୍ତି ଯେ ତାଙ୍କ ନେତୃତ୍ୱରେ ଚିକିଟି ନିର୍ବାଚନ ମଣ୍ଡଳୀ ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘଦିନର ରେଳ ସମ୍ପର୍କିତ ଆଶା ଓ ଆକାଂକ୍ଷା ପୂରଣ ହେବ ।