ନାବାଳିକା ଝିଆରୀଙ୍କୁ ବଳାତ୍କାର କରିଥିଲେ କକା, ମିଳିଲା ଏମିତି ଦଣ୍ଡ

ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ ପ୍ରଣତି ପଟ୍ଟନାୟକ ସୋମବାର ଜନୈକା ନାବାଳିକା ବଳାତ୍କାରୀଙ୍କୁ ଉପଯୁକ୍ତ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ତାଙ୍କ ଘର ସମ୍ମୁଖରେ ରହୁଥିବା ସମ୍ପର୍କୀୟ କକା। ଜଜ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତଙ୍କଠାରୁ ଆଦାୟ ହୋଇଥିବା ଜରିମାନା ବାବଦ ଟଙ୍କା ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ମଧ୍ୟ ଜଜ ନିର୍ଦେଶ ଦେଇଛନ୍ତି। ସେହିପରି ପୀଡିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା ସହାୟତା ରାଶି ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବ( ଡିଏଲଏସଏ)ଙ୍କୁ ଜଜ ନିର୍ଦେଶ ଦେଇଛନ୍ତି। ଭଞ୍ଜନଗର ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କକା ଭୟଭୀତ କରି ବଳାତ୍କାର କରିଥିଲେ। ପୀଡ଼ିତା ଗର୍ଭବତୀ ଥିବା ଜଣାପଡିବା ପରେ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୪୬୧/୨୩ ରେ ଏକ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ତତ୍କାଳୀନ ତଦନ୍ତକାରୀ ଅଧିକାରୀ ମୋହନ କହଁର ଅଭିଯୁକ୍ତଙ୍କୁ ଫେରାର ଦର୍ଶାଇ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। କୋର୍ଟ ନିର୍ଦେଶରେ ପୋଲିସ ଅଭିଯୁକ୍ତଙ୍କୁ ୱାରେଣ୍ଟ ବଳରେ କୋଏମ୍ବାଟୋରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୀଡ଼ିତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି। ୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *