ବେଲଗୁଣ୍ଠା: ୫୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବେଲଗୁଣ୍ଠା ୨୯/୦୫ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ମୋପେଡ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗୁରୁବାର ଗାଙ୍ଗପୁର ପୁଲିସ ଦୁଭୁଲୁଣ୍ଡା ଘାଇ ନିକଟରୁ ୫୨.୧୫୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଗାଙ୍ଗପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ଶଡିଙ୍ଗିପଲ୍ଲୀର ବଳରାମ ବେହେରା ବୋଲି ଜଣାପଡିଛି। ଏହା ସହ ତା ନିକଟରୁ ଏକ ଟିଭିଏସ୍ ଏକ୍ସଲ୍ ଜବତ କରାଯାଇଥିବା ଥାନା ଅଧିକାରିଣୀ ଶୁଭଲଷ୍ମୀ ପୂଜାରୀ ସୁଚନା ଦେଇଛନ୍ତି।

ସୂଚନା ମୁତାବକ, ଗୁରୁବାର ସକାଳୁ ଗାଙ୍ଗପୁର ଥାନା ପକ୍ଷରୁ ଏସଆଇ ଅଜୟ କୁମାର ମଲ୍ଲିକ ଙ୍କ ନେତୃତ୍ବରେ ପୁଲିସ ଟିମ୍ କଣ୍ଟେଇପଲ୍ଲୀ ସୋରଡ଼ା ରାସ୍ତାର ବଡ଼ବୋରସିଂ ଓ ଦୁବୁଲୁଣ୍ଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଦୁବୁଲୁଣ୍ଡା ଘାଇ ଠାରେ ଏକ ଟିଭିଏସ୍ ଏକ୍ସଲରେ ଜଣେ ବ୍ୟକ୍ତି କିଛି ସନ୍ଦେହଜନକ ସାମଗ୍ରୀ ନେଇ ଯାଉଥିବା ପେଟ୍ରୋଲିଂ ଟିମ୍ ଦେଖିଥିଲେ । ପରେ ପୁଲିସ ଉକ୍ତ ବ୍ୟକ୍ତି ଙ୍କୁ ପଚରା ଉଚରା କରିବା ସହ ଜରି ବ୍ୟାଗ୍ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜରି ବ୍ୟାଗ୍ ରୁ ୫୨.୧୫୦ କେଜି ଗଞ୍ଜେଇ ମିଳିଥିଲା । ଏହି ଗଞ୍ଜେଇ କୁ ସେ ଚୋରା ରେ ବିକ୍ରି କରିବାକୁ ନେଉଥିବା ପଚରାଉଚରା ବେଳେ ଜଣା ପଡିଥିଲା । ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ର ଓଜନ କରାଯିବା ସହ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *