
ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦ ତାଙ୍କ ବିଏମ୍ଡବ୍ଲୁ କାର୍କୁ ବିକ୍ରି କରିବା ନେଇ ଫେସ୍ବୁକ୍ରେ କରିଥିବା ପୋଷ୍ଟକୁ ଡିଲିଟି କରିଦେଇଛନ୍ତି। ନିଜର ଟ୍ରେନିଂ ଖର୍ଚ୍ଚ କରିବା ପାଇଁ ସେ କାର୍କୁ ବିକ୍ରି କରିବାକୁ ଚାହୁଁଥିଲେ। ଏନେଇ ସୋସିଆଲ୍ ମିଡିଆରେ କାର୍ ଫଟୋ ଅପଲୋଡ କରିବା ସହିତ ଆଶାୟୀ ଗ୍ରାହକ ତାଙ୍କୁ ମେସେଜ୍ କରିପାରିବେ ବୋଲି ଲେଖିଥିଲେ ଦୂତୀ। ପରେ ଏହାକୁ ଡିଲିଟ୍ କରିଦେଇଛନ୍ତି। ଦୂତୀ ୨୦୧୫ର ବିଏମ୍ଡବ୍ଲୁ ୩-ସିରିଜ୍ର ଏହି କାର୍କୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। ଏବେ ତାଙ୍କ ଟ୍ରେନିଂ ଖର୍ଚ୍ଚ ପାଇଁ ସେ କାର୍କୁ ବିକ୍ରି କରିବାକୁ ଚାହୁଁଛନ୍ତି।
ଏ ନେଇ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୂତୀ କହିଛନ୍ତି “କରୋନା ସମୟରେ କୌଣସି ପ୍ରଯୋଜନା ସଂସ୍ଥା ମୋ ଟ୍ରେନିଂ ପାଇଁ ଖର୍ଚ୍ଚ କରିବାକୁ ରାଜି ହେଲେନି। ମୁଁ ୨୦୨୧ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେଉଥିବାରୁ ମୋର ଟ୍ରେନିଂ ଓ ଡାଏଟ୍ ପାଇଁ ଅର୍ଥର ଆବଶ୍ୟକତା ପଡ଼ୁଛି। ତେଣୁ ମୁଁ କାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲି। ”
କରୋନା ସମୟରେ ରାଜ୍ୟ ସରକାର ଆର୍ଥିକ ସଂକଟରେ ଗତି କରୁଥିବାରୁ ତାଙ୍କ ଅଲିମ୍ପିକ ପ୍ରସ୍ତୁତି ପାଇଁ ସରକାରୀ ସ୍ତରରେ ମଧ୍ୟ ଅକ୍ଷମତା ପ୍ରକାଶ ପାଇଥିବା ଦୂତୀ କହିଛନ୍ତି।
ଟୋକିଓ ଅଲିମ୍ପିକ ଜୁଲାଇ ୧୧ରେ ଆରମ୍ଭ ହେବାକୁ ଥିଲା। କିନ୍ତୁ କରୋନା ଭାଇରସ୍ ଯୋଗୁ ଏହା ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି।
ଏସିଆନ୍ ଗେମ୍ସରେ ସଫଳତା ପରେ ଧାବିକା ଦୂତୀ ଚାନ୍ଦଙ୍କୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେଇଥିଲେ ରାଜ୍ୟ ସରକାର। ଏହି ଟଙ୍କାରେ ସେ ତାଙ୍କ ଘର ତିଆରି କରିବା ସହିତ ଏହି ବିଏମ୍ଡବ୍ଲୁ କାର୍ କିଣିଥିଲେ।
ତେବେ କାର୍ ବିକ୍ରି କରିବା ନେଇ ଫେସ୍ବୁକ୍ରେ ପୋଷ୍ଟ ପରେ କମେଣ୍ଟ ଦେବା ଆରମ୍ଭ ହୋଇଯାଇଥିଲା। ସରକାର ଦୂତୀଙ୍କୁ ସହଯୋଗ କରନ୍ତୁ ବୋଲି ଅଧିକାଂଶ କମେଣ୍ଟ କରିଥିଲେ। ପରେ ସେ ପୋଷ୍ଟ ଡିଲିଟ କରିଦେଇଥିଲେ।
ସେ ଆହୁରି ମଧ୍ୟ କହିଥିଲେ ଯେ ଅଲିମ୍ପିକ ପ୍ରସ୍ତୁତି ପାଇଁ ସରକାର ୫୦ ଲକ୍ଷ ଟଙ୍କା ଦେଇଥିଲେ। ସେ ପ୍ରତି ମାସରେ ଏଥିପାଇଁ ଟ୍ରେନର, ଡାକ୍ତର, ଡାଏଟିସିଆନ ଏବଂ ଅନ୍ୟାନ୍ୟ କାରଣ ଲାଗି ମାସିକ ୫ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିସାରିଲେଣି। ଏବେ ସେ କାର ବିକ୍ରିକରି ଖର୍ଚ୍ଚ ଭରଣ କରିବେ ବୋଲି କହିଛନ୍ତି। ଏହା ଛଡ଼ା ତାଙ୍କ ପାଖରେ ଆହୁରି ଦୁଇଟି କାର ରହିଛି। ତେଣୁ ତିନୋଟି କାର ରଖିବାକୁ ତାଙ୍କ ଘରେ ଜାଗା ନଥିବା ସେ କହିଛନ୍ତି। ଏହାପରେ ସେ କୌଣସି କାରଣରୁ ପୋଷ୍ଟଟିକୁ ଫେସବୁକରୁ ହଟେଇ ଦେଇଛନ୍ତି ।