
ବେଗୁନିଆପଡା ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍ ।ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର। ଖୋର୍ଦ୍ଧା ଜିଲ୍ଲା ର ଆରମ୍ଭ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ରହିଛି ଶାଳିଆ ଡ୍ୟାମ୍ ଜଳ ପ୍ରକଳ୍ପ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଅଙ୍ଗାରଗାଁ ନିକଟ ଡାଇକ ଛକ ଓ କୁମାରୀପାରି ତଟ ଦେଶରୁ ଏହି ଡ୍ୟାମ୍ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଳାକୁ ମାଡିଛି l ଡ୍ୟାମ୍ ଉପରେ ଖୋର୍ଦ୍ଧା ଜିଲ୍ଲାର ପ୍ରତାପ- ମାଣିକପୁର ଠାରୁ ଆରମ୍ଭ କରି ୬୦% ଚିଲିକା ନିର୍ବାଚନ ମଣ୍ଡଳୀ ର ଚାଷୀ ଓ ବ୍ୟକ୍ତି ନିର୍ଭରଶୀଳ ହେଉଥିବା ବେଳେ ୪୦% ଚାଷୀ ଗଞ୍ଜାମ ଜିଲ୍ଲାର ଅଙ୍ଗାରଗାଁ ଠାରୁ ବରିଡା ଓ ବେଗୁନିଆପଡ଼ାର ଚାଷୀ ପାଣି ପାଇଁ ଡ୍ୟାମ୍ ଉପରେ ନିର୍ଭର କରିଥାନ୍ତି l ଏହା ସହ ଆଇ.ଏନ୍.ଏସ୍ ଚିଲିକାକୁ ମଧ୍ୟ କେନାଲ ଯୋଗେ ପାଣି ଯୋଗାଣ ବର୍ଷ ସାରା ହୋଇଥାଏ l ୧୯୭୦ମସିହା ଡିସେମ୍ବର ୨୭ ତାରିଖରେ ତତ୍କାଳୀନ ଜଳସେଚନ ବିଦ୍ୟୁତ ଓ ରାଜସ୍ଵ ବିଭାଗ ମନ୍ତ୍ରୀ ସୁରେନ୍ଦ୍ରନାଥ ପଟ୍ଟନାୟକଙ୍କ ଦ୍ଵାରା ଏହି ଡ୍ୟାମ୍ ଉଦଘାଟିତ ହୋଇଥିଲା l ୯୬ ବର୍ଗ ମାଇଲ ଅବବାହିକା ବିଶିଷ୍ଟ ଏହି ଡ୍ୟାମ୍ ରେ ବାର୍ଷିକ ହାରାହାରି ୪୦୮୪ ନିୟୁତ ଘନଫୁଟ ଜଳ ପ୍ରବାହ ହେଉଥିବା ବେଳେ ଏହାର ଉଚ୍ଚତା ରହିଅଛି ୩୨.୯୧ ମିଟର ଓ ବନ୍ଧର ଦୈର୍ଘ୍ୟ ପାଖାପାଖି ୬ କିମି ହେବ ବୋଲି ଅନୁମାନ l ଗଞ୍ଜାମ ଜିଲ୍ଲାର ଡାଇକ ଛକ ଠାରୁ କୁମାରୀପାରି ପର୍ଯ୍ୟନ୍ତ ମାଟି ବନ୍ଧ କୁ ମିଶାଇ ଡାଇକଛକ ଠାରୁ ମା’ଡୋମଣି ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଓ ସେଠାରୁ ସ୍ପିଲ୍ ଓଭର୍ ପର୍ଯ୍ୟନ୍ତ ଏହି ବନ୍ଧ ପରିବ୍ୟାପ୍ତ l ଅପର ପଟରେ ପାହାଡ଼ ର ପାଦ ଦେଶ ଡ୍ୟାମ୍ କୁ ସୁରକ୍ଷିତ କରି ରଖିଛି l ଉଭୟ ଜିଲ୍ଲାକୁ ଖରିଫ ଓ ରବି ଫସଲ ପାଇଁ ୧୩୦୦୦ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ କରୁଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ପଟକୁ ମୁଖ୍ୟ କେନାଲ ଓ ଗଞ୍ଜାମ ଜିଲ୍ଳା ପଟକୁ ଆଉ ଏକ ମୁଖ୍ୟ କେନାଲ ଯୋଗେ ଜଳ ଯୋଗାଣ ହେଉଛ। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ବାଲୁଗାଁ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କର ହାଉସିଂ ଓ ଅର୍ବାନ୍ ଡେଭେଲପମେଣ୍ଟ ବିଭାଗ ପକ୍ଷରୁ ୨୦୧୩-୨୦୧୪ ମସିହାରେ ୪୦କୋଟି ଟଙ୍କା ବ୍ୟୟରେ ଏହି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଏବେ କାମ ସାରି ପାଣି ଯୋଗାଣ ଚାଲିଥିବା ଜଣାପଡିଛି ।
ବର୍ତ୍ତମାନ ଶାଳିଆ ଡ୍ୟାମରୁ ଖଲ୍ଲିକୋଟ ଅଞ୍ଚଳର ସମସ୍ତ ପଞ୍ଚାୟତ କୁ ପିଇବା ପାଣି ଯୋଗାଇବା ପାଇଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ପରେ ବେଗୁନିଆପଡ଼ା ଅଞ୍ଚଳକୁ ମଧ୍ୟ ପିଇବା ପାଣି ଯୋଗାଇଦେବା ପାଈଁ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଖରାଦିନେ ବେଗୁନିଆପଡ଼ା ବ୍ଲକକୁ ଶାଳିଆ କେନାଲ ରେ ଆବଶ୍ୟକତା ଠାରୁ କମ ପାଣି ଚାଷ କାର୍ଯ୍ୟ ପାଇଁ ଆସୁଥିବା ବେଳେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ନିଶ୍ଚିତ ଭାବେ ଖୋର୍ଦ୍ଧା ଓ ଗଞ୍ଜାମ ଚାଷୀ କିଛିଟା ପ୍ରଭାବିତ ହେବାର ଆଶଙ୍କା ରହିଛି । ସେପଟେ ବହୁ ପୁରାତନ ଏହି ଡ୍ୟାମ୍ ଦୀର୍ଘ ବର୍ଷ ହେଲା ପୁନଃ ଉଦ୍ଧାର ହୋଇ ପାରୁନି। ବର୍ଷା ଜଳ ଆସି ଆସି ମାଟି ଏହି ଡ୍ୟାମ୍ କୁ ପୋତି ଦେଇ ଜଳ ଧାରଣ କ୍ଷମତା ହ୍ରାସ କରିସାରିଲାଣି। ଯାହା ଫଳରେ ଅଧିକ ଜଳ ସଂରକ୍ଷିତ ହୋଇ ରହିପାରୁନି। ସେପଟେ ଡ୍ୟାମ୍ ରୁ ବାହାରୁଥିବା କେନାଲ ର ଉପଯୁକ୍ତ ମରାମତି ତଥା ରକ୍ଷଣା ବେକ୍ଷଣ ମଧ୍ୟ ଠିକସେ ହୋଇପାରୁନି ଓ କେନାଲ ସଫା ମଧ୍ୟ ଉପଯୁକ୍ତ ଭାବେ ନ ହୋଇପାରିବା ଯୋଗୁଁ ଚାଷୀ ଠିକ୍ ଭାବରେ ପାଣି ପାଇପାରୁନାହାନ୍ତି। ଏହି ଜଳାଶୟ ମଧ୍ୟରେ ଭାସମାନ ମାଛ ଚାଷ କୋଠରୀ ମଧ୍ୟରେ କରାଯାଇ ପ୍ରଚୁର ଜଳଙ୍ଗ ପ୍ରଜାତି ର ମାଛ ଉତ୍ପାଦନ କରାଯାଇ ଏହି ଡ୍ୟାମ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଜଳ ଧାରଣ କ୍ଷମତା ଏହାକୁ ପ୍ରଭାବିତ କରୁଛି। ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର ହୋଇଥିବା ବେଳେ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟିବାରେ ଲାଗିଥାଏ । ଏହି ସ୍ଥାନରେ ଅପରାଧ ରୋକିବା ପାଈଁ ଉଭୟ ପଟର ପୋଲିସ ବିଭାଗ ପକ୍ଷରୁ କୌଣସି ପାଟ୍ରୋଲିଂ ବ୍ୟବସ୍ଥା କରାଯାଉନଥିବା ବେଳେ ଡ୍ୟାମ ପାର୍ଶ୍ୱ ରାସ୍ତାରେ ଗାର୍ଡ ୱ।ଲ ନଥିବା ଯୋଗୁଁ ରାସ୍ତା ଖାଇଖାଇ ଗଲାଣି। ଡ୍ୟାମର ମୁଖ୍ୟ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନେବା ପାଇଁ ଦାବୀ ହେ।ଇଛି। ଏହା ସହିତ ଚାଷୀଙ୍କ ସ୍ବାର୍ଥ ପାଇଁ ଏହାର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ସ୍ଵତନ୍ତ୍ର ଭାବେ ଏହାକୁ ଖୋଳି ଗଭୀର କରିବାର ଆବଶ୍ୟକତା କୁ ବିଭାଗ ଗୁରୁତର ଭାବେ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।