ଭଞ୍ଜନଗର : ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦେଶକୁ ଅଣଦେଖା

ଭଞ୍ଜନଗର ୨୭/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ପାଇଁ କମ୍ପାନୀ ସହ ଚୁକ୍ତି ହୋଇଛି। ଇତିମଧ୍ୟରେ କାମ ସାରିବା ପାଇଁ ହୋଇଥିବା ଚୁକ୍ତି ସମୟ ମଧ୍ୟ ଗତ ୧୬ ତାରିଖରେ ପୂରିଛି। ଚୁକ୍ତି ସମୟ ମଧ୍ୟରେ ମାତ୍ର ୩୪ ପ୍ରତିଶତ କାମ ହୋଇଥିବା ବିଭାଗ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ପ୍ରକୃତରେ ସେତିକି କାମ ହୋଇ ନ ଥିବା ଅନୁମାନ କରାଯାଉଛି। ପ୍ରକଳ୍ପ କାର୍ଯ୍ୟ ବହୁତ ମନ୍ଥର ଗତିରେ ଚାଲିଛି। ଯାହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବଢୁଛି। ଏଥିସହ ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀ ସମେତ ବିଧାନସଭାର ବିଭିନ୍ନ କମିଟି ମଧ୍ୟ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ମେ ୩୦ରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ ସମୀକ୍ଷା କରିବାକୁ ଆସିଥିଲେ। କମିଟି ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କମିଟି ସଭ୍ୟ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବଡ଼ଚଣା ବିଧାୟକ ଅମର ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଗ୍ରାମ୍ୟ ପାଇପ ଜଳଯୋଗାଣ ଅଧିକାରୀ ଏବଂ କାମ ନେଇଥିବା ଏଲଆଣ୍ଡ୍ଟି କମ୍ପାନୀ କର୍ମଚରୀଙ୍କୁ ଅଧ୍ୟକ୍ଷ ତାଗିଦ କରିଥିଲେ। ଏହା ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ପ୍ରକଳ୍ପ। ୨ ବର୍ଷ ହେବ ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ସମ୍ପୃୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷା, ସାସ୍ଥ୍ୟ, ଗମନାଗମନ ପ୍ରତି କମ୍ପାନୀ ଗୁରୁତ୍ୱ ଦେଇନାହିଁ। ତେଣୁ ସଂପୃକ୍ତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କିଛି ସମାଜସେବା କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ସେ ସମୟରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଟି ଇତିମଧ୍ୟରେ ପ୍ରକଳ୍ପ ପରିଦର୍ଶନ କରି ଫେରିଯିବାର ୨୮ ଦିନ ବିତିଗଲାଣି କିନ୍ତୁ ବିଭାଗ ପକ୍ଷରୁ କୌଣସି ସମାଜସେବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ କରାଯାଇନାହିଁ।ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। କୌଣସି କମ୍ପାନୀ ବଡ଼ ପ୍ରକଳ୍ପ କାମ କଲେ ସଂପୃକ୍ତ ଅଞ୍ଚଳବାସୀଙ୍କ ବିକାଶ ପାଇଁ କିଛି ଜନହିତକର କାର୍ଯ୍ୟ କରିବା ନୀତି ନିୟମ ଅଛି। କିନ୍ତୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା କମ୍ପାନୀ ଏହାକୁ ଖାମଖିଆଲ ଭାବେ ନେଇ ସମାଜସେବା କାର୍ଯ୍ୟ ପ୍ରତି ଧ୍ୟାନ ଦେଉନାହିଁ । ବିଭାଗ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ ମୁନା କୁଲାଣ୍ଡିଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜୁଲାଇ ମାସରେ କିଛି ସମାଜ ସେବା କାର୍ଯ୍ୟ କରିବା ଲକ୍ଷ୍ୟ ଅଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଏନେଇ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *