
ଭଞ୍ଜନଗର ୨୦/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ବଡ଼ ମାଛ କିଲୋ ୧୭୦ ଟଙ୍କା ଓ ଚିକେନ କିଲୋ ୧୮୦ ଟଙ୍କା। ହେଲେ ଦେଶୀ କାଙ୍କଡ଼ ୨୫୦ ଗ୍ରାମ୍କୁ ୭୫ ଟଙ୍କା ଅର୍ଥାତ କିଲୋ ୩୦୦ ଟଙ୍କା ଦରରେ ଭଞ୍ଜନଗର ବଜାରରେ ବିକ୍ରି ହେଉଥିବା ଦେଖାଯାଇଛି। ଲୋକେ ଆଗ୍ରହ କରି ପାଖକୁ ଯାଇଥାନ୍ତି। ଦର ଶୁଣି କାନମୁଣ୍ଡ ଆଉଁଶି ଫେରି ଯାଉଛନ୍ତି। ତେଣୁ ଏବେ ଦେଶୀ ଛୋଟ କାଙ୍କଡ଼କୁ ପରିବା ବଜାରର ରାଜା ଆଖ୍ୟା ଦିଆଯାଇଛି। ଶ୍ରାବଣ ମାସକ ପାଇଁ ଅଧିକାଂଶ ଲୋକ ଆମିଷ ଖାଦ୍ୟ ବର୍ଜନ କରୁଥିବା ବେଳେ ପରିବା ଦର ଆମିଷଠାରୁ ବଳି ଯାଇଛି। ଆଳୁ ଓ ପିଆଜକୁ ବାଦ୍ ଦେଲେ ଅନ୍ୟ ସମସ୍ତ ପନିପରିବାର ଏଭଳି ଆକାଶଛୁଆଁ ଦରକୁ ନେଇ ସାଧାରଣ ଉପଭୋକ୍ତା ଚିନ୍ତାରେ ପଡ଼ିଛନ୍ତି।
ଭଞ୍ଜନଗର ବଜାରରେ ଛୋଟ ଦେଶୀ କାଙ୍କଡ଼ କିଲୋ ୩ ଶହ ଟଙ୍କା ହୋଇଥିବାବେଳେ କଞ୍ଚାଲଙ୍କା କିଲୋ ୨୫୦ ଟଙ୍କା ରହିଛି। ସେହିପରି ବିନିସ୍ କିଲୋ ୧୨୦ ଟଙ୍କା, କଲରା ୬୦ ଟଙ୍କା, ସାରୁ ୭୦ ଟଙ୍କା, ବଡ କାଙ୍କଡ କିଲୋ ଶହେ ଟଙ୍କା, ବାଇଗଣ ୭୦ ଟଙ୍କା, କୁନ୍ଦୁରୁ ( ତୋରଡା) ୬୦ ଟଙ୍କା, ପୋଟଳ ୬୦ ଟଙ୍କା, ସଜନା ଛୁଇଁ କିଲୋ ଶହେ ଟଙ୍କା, ପାଳ ଛତୁ ୩୨୦ ଟଙ୍କାରେ ବିକ୍ରି ହେଉଛି। ଏବେ ବଜାରରେ ଉପଲବ୍ଧ ହେଉଥିବା ଦେଶୀ ପଟୋଳ ଓ ଜହ୍ନି କିଲୋ ମଧ୍ୟ ୬୦ ଟଙ୍କାରୁ ତଳକୁ ଖସୁନି। ପରିବା ବଜାରରେ ୫ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନଥିବା କହିଛନ୍ତି ଗ୍ରାହକ। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ପନିପରିବା ଠିକ୍ ଭାବରେ ବାହାରି ପାରୁନାହିଁ ବୋଲି କହିଛନ୍ତି ପରିବା ଚାଷୀ ମଦନ ପଣ୍ଡା । ଏପଟେ ଚାଷୀଙ୍କ ଠାରୁ ପରିବା କମ୍ ଟଙ୍କାରେ ଆଣି ମଧ୍ୟସ୍ଥି ମାନେ ଏହାକୁ ପରିବା ମଣ୍ଡିରେ ଉଚ୍ଚାରେ ବିକ୍ରି କରୁଥିବାରୁ ପରିବା ବ୍ୟବସାୟୀ ବାଧ୍ୟ ହୋଇ ଉଚ୍ଚା ଦରରେ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛି ବୋଲି ଜଣେ ପରିବା ବ୍ୟବସାୟୀ କହିଛନ୍ତି।
ସରକାରୀ ଚାକିରିଆଙ୍କ ଠାରୁ ଆରମ୍ଭ କରି ପେନସନ୍ ଭୋଗୀଙ୍କ ଯାଏଁ ସମସ୍ତଙ୍କୁ ବର୍ତ୍ତମାନର ବଜାର ଦର ବାଧୁଛି। ତେଲ ଠାରୁ ପରିବା ସବୁ ଉଚ୍ଚା ଦର। ହେଲେ ଏହା ଉପରେ ପ୍ରଶାସନର ଲଗାମ୍ ନାହିଁ। ବିଷେଶ ଭାବେ ଭଞ୍ଜନଗରରେ ପରିବାର ଦର ୬୦ ତଳକୁ ନାହିଁ । ଦରଦାମ୍ ବୃଦ୍ଧି ଯୋଗୁଁ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି।ଶ୍ରାବଣରେ ଅଧିକାଂଶ ଲୋକ ଆମିଷ ଉପରୁ ମୁହଁ ଫେରାଇ ସାଧା ଖାଇବାକୁ ଅଧିକ ପସନ୍ଦ କରୁଥିବାବେଳେ ପନିପରିବା ଦରର ଅହେତୁକ ମୂଲ୍ୟବୃଦ୍ଧି ସମସ୍ତଙ୍କୁ ବାଧୁଛି।