
ଭୁବନେଶ୍ୱର: ଆଜି ଆୟୋଜିତ ହେଉଥିବା କର୍ମଶାଳା କେବଳ ଏକ ବୈଠକ ନୁହେଁ, ଏହା ଆମ ସହରକୁ ନିରନ୍ତର ଭାବରେ ପରିଚ୍ଛନ୍ନ ରଖୁଥିବା ପରିମଳ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ଆମର ପ୍ରତିବଦ୍ଧତା। ସେମାନଙ୍କୁ ନ୍ୟାୟ, ସୁରକ୍ଷା ଓ ମର୍ଯ୍ୟାଦା ପ୍ରଦାନ କରିବା ହେଉଛି ଆମର ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଫେଇ କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି। ଏହି ଦୁଇ ଦିନିଆ କର୍ମଶାଳାର ବିଷୟବସ୍ତୁ ହେଉଛି ‘ପ୍ରମୁଖ ପରିମଳ କାର୍ଯ୍ୟର ରୂପାନ୍ତରୀକରଣ- ସୁରକ୍ଷା, ସମ୍ମାନ ଓ ସମାବେଶନ (Transforming Core Sanitation Work- Safety, Dignity & Inclusion)।
ଆଜିର ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହି ମଞ୍ଚରୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରିମଳ କର୍ମୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ ଓ ଅନୁଭୂତିରୁ ବହୁତ କଥା ଶିଖି ପାରିବେ। ସମସ୍ତଙ୍କ ଅନୁଭବ ଓ ଶ୍ରେଷ୍ଠ ଚିନ୍ତାଧାରା ନେଇ ଆମେ ଆଗକୁ ବଢିବା ଓ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣରେ ନିଜି ନିଜର ଯୋଗଦାନ ରଖିବା ବୋଲି ସେ କହିଥିଲେ।ଏହି ଅବସରରେ କର୍ମଶାଳା ପରିସରରେ ଆୟୋଜିତ ପରିମଳ କାର୍ଯ୍ୟ ସମ୍ପର୍କିତ ଆଧୁନିକ ଉପକରଣ ଏବଂ ସୁରକ୍ଷା ଉପକରଣର ପ୍ରଦର୍ଶନୀ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପରିମଳ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ପ୍ରମୁଖ ପରିମଳ କର୍ମଚାରୀମାନେ ହେଉଛନ୍ତି ଆମ ସହରର ଓ ଗ୍ରାମର ଅଦୃଶ୍ୟ ନାୟକ । ସେମାନେ ବର୍ଷ ବର୍ଷ ଧରି ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ସେବା ଯୋଗାଇ ଆସୁଛନ୍ତି । ଅଧିକାଂଶ ସମୟରେ ସେମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜିର ଏହି କର୍ମଶାଳା ମାଧ୍ୟମରେ ଆମେ ଦେଶର ବିଭିନ୍ନ ରାଜ୍ୟ, ସହର ଓ ସଂସ୍ଥା ଗୁଡିକୁ ଏକତ୍ରିତ କରିଛୁ, ଯାହାଦ୍ୱାରା ଆମେ ଆମର ଅନୁଭବକୁ ବାଣ୍ଟି ପାରିବା, ଶିଖିବା ଓ ସହଯୋଗ ମଧ୍ୟ କରିପାରିବା।ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ପରିମଳ କ୍ଷେତ୍ରରେ ଆଜି ଓଡିଶାର ଦେଶରେ ନାଁ ଅଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି, ତାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର। ସହରାଞ୍ଚଳ ସହିତ ଆମକୁ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରିବାକୁ ପଡିବ।କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବ ଶ୍ରୀ ଅମିତ ଯାଦବ କହିଲେ ଯେ, ଓଡିଶା ସରକାର ପରିମଳ କର୍ମଚାରୀ ମାନଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧ ଅଛନ୍ତି। ପରିମଳ ବ୍ୟବସ୍ଥା ଆମ ସମସ୍ତଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ହେଉଛି ପରିମଳ କର୍ମଚାରୀଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା।ଅର୍ବାନ ମ୍ୟାନଜମେଣ୍ଟ ସେଣ୍ଟର ପ୍ରତିଷ୍ଠାତା ନିର୍ଦ୍ଦେଶକ ମନ୍ୱିତା ବରାଡି କହିଥିଲେ ଯେ, ଓଡିଶା ସରକାରଙ୍କ ଗରିମା ଯୋଜନାକୁ ଆଜି ଦେଶର ଅନ୍ୟ ରାଜ୍ୟମାନେ ଅନୁସରଣ କରୁଛନ୍ତି। ଗରିମା, ପରିମଳ କର୍ମଚାରୀ ମାନଙ୍କର କେବଳ ଦକ୍ଷତା ବିକାଶ କରୁନାହିଁ ବରଂ ସେମାନଙ୍କୁ ସଶକ୍ତ ମଧ୍ୟ କରୁଛି।କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅତିରିକ୍ତ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।