
କଟକ: ରାସ୍ତାରେ ପୁରୁଣା ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ! ନଚେତ ରଦ୍ଦ ହୋଇପାରେ ଆପଣଙ୍କ ଗାଡିର ପଞ୍ଜିକରଣ । ଏଣିକି ଚରମ ପଦକ୍ଷେପ ନେବ ପରିବହନ ବିଭାଗ, ବିଶେଷକରି ଯେଉଁ ଗାଡି ଗୁଡିକର ଫିଟିନେସ ନାହିଁ, ସେଗୁଡିକ ଉପରେ ପରିବହନ ବିଭାଗ କଡା ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହି କ୍ରମରେ 170 ଟି ପୁରୁଣା ଗାଡି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

170ଟି ଗାଡ଼ି ମାଲିକଙ୍କୁ ନୋଟିସ୍:ଥରେ କି ଦୁଇ ଥର ନୁହେଁ, ବାରମ୍ବାର ଗାଡ଼ି ଉପରେ ଭିସିଆର୍ (ଭେଇକିଲ୍ ଚାଲାଣ ରିପୋର୍ଟ) କଟାଗଲା। ନା ଭିସିଆର ର କୌଣସି ଜବାବ ଦେଉଛନ୍ତି ନା’ ଭିସିଆର୍ ଉପରେ ହୋଇଥିବା ଜରିମାନା ଅର୍ଥ ଜମା କରୁଛନ୍ତି । ଏଣିକି କିନ୍ତୁ ନିୟମ ଉଲ୍ଲଂଘନକାରୀ ଗାଡ଼ି ମାଲିକଙ୍କୁ ଆଉ ଛଡ଼ାଯିବନି। ଯେଉଁସବୁ ଗାଡ଼ି ଉପରେ 5 ଥରରୁ ଅଧିକ ଭିସିଆର୍ କଟଯାଇଛି ସେସବୁକୁ ନୋଟିସ୍ କରାଯିବା ପରେ ପଞ୍ଜିକରଣ ରଦ୍ଦ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୁକରଣ (ଏସ୍ଟିଏ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥାତ ଏଭଳି ଗାଡ଼ିଗୁଡ଼ିକ ଆଉ ରାସ୍ତା ଉପରକୁ ଆସିପାରିବ ନାହିଁ । ଏହିପରି ପ୍ରାୟ 10 ହଜାର ଗାଡ଼ି ରହିଛି ଯେଉଁମାନଙ୍କ ଉପରେ 5 ଥରରୁ ଅଧୂକ ଥର ଭିସିଆର୍ କଟା ଯାଇଛି ବୋଲି ଅତିରିକ୍ତ କମିଶନର କହିଛନ୍ତି। ଏହି କ୍ରମରେ 170ଟି ଗାଡ଼ି ମାଲିକଙ୍କୁ ନୋଟିସ୍ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟସବୁ ଗାଡ଼ିଗୁଡ଼ିକୁ ନୋଟିସ୍ କରାଯିବ ବୋଲି ଅତିରିକ୍ତ କମିଶନର ଚେତାବନୀ ଦେଇଛନ୍ତି ।ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠି କହିଛନ୍ତି, ” 53 ରୁଲରେ ରହିଛି ଯଦି କୌଣସି ଗାଡି ଡିଫେକ୍ଟେରେ ରାସ୍ତାରେ ଗାଡି ଚଲାଉଛି ତେବେ ତାର ରେଜିଷ୍ଟେସନକୁ ଆମେ ସସପେଣ୍ଡ କରିପାରିବୁ । 2ରୁ 3 ମାସ ପରେ ଯଦି ଫିଟନେସ କରାନଯାଏ ତେବେ 55 ରୁଲରେ ରେଜିଷ୍ଟେସନ କ୍ୟାନସେଲ କରିଦେବୁ । ଆମର ଇଡିଟେକ୍ସନରେ ଅନେକ ଗାଡିର 170ରୁ 180ଟି ଚାଲାଣ କଟାଯାଇଛି । ଏହାପରେବି ଗାଡିର ଫିଟନେସ କରୁନାହାନ୍ତି , ବାରମ୍ବାର ନୋଟିସ ପରେବି ଉତ୍ତର ଦେଉନାହାନ୍ତି ଗାଡି ମାଲିକ । ସେହି ଆଧାରରେ ତାଙ୍କର ରେଜିଷ୍ଟେସନକୁ ସସପେଣ୍ଡ କରି କ୍ୟାନସେଲ କରିବୁ ବୋଲି ନିଷ୍ଟତ୍ତି ନେଇଛୁ । ଏହାପରେ ସେ ଗାଡି ରାସ୍ତାରେ ଚାଲିବା ଆସମ୍ଭବ । “କାହିଁକି ଏବଂ କେଉଁ ଗାଡିକୁ ଏହି ନୋଟିସ ଜାରି କରାଯାଏ ?ଯଦି କୌଣସି ଗାଡ଼ି ବିନା ପରମିଟ୍, ଫିଟ୍ନେସ୍ କିମ୍ବା ଇନ୍ସ୍ୟୁରାନ୍ସ ଟିକସରେ ଚାଲୁଥୁବ ତା ବିରୋଧରେ ଚାଲାଣ ବା ଭିସିଆର୍ କଟାଯାଇଥାଏ। ରାଜ୍ୟରେ ବିଭିନ୍ନ ଟୋଲ୍ଗେଟ୍ରେ ଇ-ଡିଟେକ୍ସନ୍ ଲାଗୁ ପରେ ଏହି ଗାଡି ଗୁଡିକୁ ସହଜରେ ଚିହ୍ନଟ କରାଯାଇପାରୁଛି । ଏହି ଇ-ଡିଟେକ୍ସନ ଜରିଆରେ କୌଣସି ଗାଡ଼ି ଟୋଲଗେଟ ଅତିକ୍ରମ ବେଳେ ତାହାର ସବିଶେଷ ସୂଚନା ପରିବହନ ବିଭାଗ ଦ୍ବାରା ପରିଚାଳିତ ବାହନ ପୋର୍ଟାଲ୍କୁ ଆସିଯାଏ। ତେବେ ବାହନ ପୋର୍ଟାଲ୍ରେ ଉକ୍ତ ଗାଡ଼ିର ନମ୍ବରରୁତାହାର ପରମିଟ୍, ଫିଟ୍ନେସ୍ ଆଦି ଅଛି କି ନାହିଁ ତାହା ଜଣାପଡ଼ିଯାଏ। ଯେଉଁ ଗାଡ଼ି ଯେଉଁ ନିୟମ ଉଲ୍ଲଂଘନ କରିଥାଏ ସେହି ଆଧାରରେ ଗାଡ଼ି ମାଲିକଙ୍କୁ ବାହନ ପୋର୍ଟାଲରେ ଥିବା ନମ୍ବରରେ ମେସେଜ୍ ଦିଆଯାଇଥାଏ। ଦିନକୁ ଗୋଟେ ଗାଡ଼ି ଉପରେ ଥରକ ପାଇଁ ନୋଟିସ୍ ପଠାଯାଇଥାଏ। 2022 ମସିହା ଜୁନ୍ 17ରେ ରାଜ୍ୟର ପ୍ରତି ଗେଲ୍ଗେଟ୍ରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ।ବିନା ଫିଟନେସ ଗାଡି,ସାଧାରଣ ଲୋକଙ୍କ ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ?ଯଦି ଗୋଟେ ଗାଡ଼ି ବିନା ଇନ୍କ୍ୟୁଇନ୍ସୁରାନ୍ସ ରେ ଚାଲେ ଏବଂ ଦୁର୍ଘଟଣାର ଶିକାର ହୁଏ କେବଳ ସମ୍ପୃକ୍ତ ଗାଡ଼ି ଚାଳକ ବୀମା ରାଶିରୁ ବଞ୍ଚିତ ହେବେ ନାହିଁ ବରଂ ଅପରପକ୍ଷ ବି ବୀମା ରାଶି ପାଇ ପାରିବେ ନାହିଁ। ତେଣୁ ଆଇନ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ଲାଗି ମୋଟର ଭେଇକିଲ୍ ଆଇନର ଧାରା 53ରେ ନୋଟିସ୍ କରାଯିବ। ଏଥିପାଇଁ ସେମାନଙ୍କୁ ଚାରି ମାସର ସମୟ ଦିଆଯାଇଛି । ଯଦି ଏହି ଅବଧି ମଧ୍ୟରେ ସେମାନେ ନୋଟିସ୍ର କୌଣସି ଜବାବ ନ ରଖନ୍ତି, ପ୍ରଥମେ 30ଦିନ ପାଇଁ ସେମାନଙ୍କର ଗାଡ଼ି ପଞ୍ଜୀକରଣ ସାର୍ଟିଫିକେଟ୍କୁ ବାତିଲ୍ କରାଯିବ। ତଥାପି ଯଦି ମାସକ ଭିତରେ ସମ୍ପୃକ୍ତ ଆରଟିଓ କାର୍ଯ୍ୟାଳୟକୁ ଆସି ନୋଟିସ୍ର ଜବାବ ନ ରଖନ୍ତି ତାହେଲେ ସେମାନଙ୍କ ଗାଡ଼ି ପଞ୍ଜୀକରଣ ସାର୍ଟିଫିକେଟ୍କୁ ସବୁଦିନ ପାଇଁ ରଦ୍ଦ କରାଯିବ ବୋଲି ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି ।