
ଭୁବନେଶ୍ଵର: ଜର୍ମାନୀରେ ଅନୁଷ୍ଠିତ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟର ୧୧ଜଣ ଖେଳାଳି ଅଂଶଗ୍ରହଣ କରିବା ସହ ୬ଜଣ ପଦକ ହାସଲ କରିଛନ୍ତି। ଆଜି କିଟ୍ ପକ୍ଷରୁ ଏହି ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ କିଟ୍ ଓ କିସ୍ ପକ୍ଷରୁ ୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସେହିପରି କାଂସ୍ୟପଦକ ଜିତିଥିବା ପ୍ରତ୍ୟେକ ଖେଳାଳିଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତରୁ କିଟ୍ ବିଶ୍ୱବିଦ୍ୟାଳୟର ସର୍ବାଧିକ ଖେଳାଳି ପ୍ରତିନିଧିତ୍ୱ କରିଥିଲେ । ଏହି କ୍ରୀଡ଼ାରେ ଭାରତ ମୋଟ ୧୨ଟି ପଦକ ହାସଲ କରିଥିବା ବେଳେ କେବଳ କିଟ୍ ଖେଳାଳିମାନେ ୬ଟି ପଦକ ହାସଲ କରିଛନ୍ତି । ଏହା କିଟ୍ ତଥା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ । ଗତ ୬୫ବର୍ଷ ମଧ୍ୟରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସର୍ବାଧିକ ପଦକ ହାସଲ କରିବାରେ କିଟ୍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ।କିଟ ବିଶ୍ୱବିଦ୍ୟାଳୟର ଅଙ୍କିତା ୩ହଜାର ମିଟର ଷ୍ଟିପ୍ଲେଚେଜ୍ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବୀଣ ଚିତ୍ରାଭେଲ ଟ୍ରିପଲ୍ ଜଂପରେ, ସୀମା ୫ହଜାର ମିଟର ଦୌଡ଼ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ପୁରୁଷ ୪ଗୁଣା ୧୦୦ ମିଟର ରିଲେରେ ମଣିକାନ୍ତ ହୋବଲିଧର, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଏବଂ ମୃତ୍ୟମ୍ ଜୟରାମ ଦଣ୍ଡପତି ବ୍ରୋଞ୍ଜ ପଦକ ଜିତି କିଟ୍ର କ୍ରୀଡ଼ା ପ୍ରତିଭାକୁ ପ୍ରମାଣିତ କରିଥିବା ବେଳେ ମହିଳା ୨୦ କିଲୋମିଟର ରେସ୍ ୱାକ୍ ଦଳଗତ ଇଭେଂଟରେ କିଟର ମୁନିତାପ ରାଜପତି, ମାନସୀ ନେଗି ଏବଂ ସେଜଲ ଅନିଲସିଂହ ଦଳଗତ ମନୋଭାବ ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରିଥିଲେ । ବ୍ୟାଡମିଂଟନରେ କିଟର ଅବିନାଶ ମହାନ୍ତି କାଂସ୍ୟ ପଦକ ଜିତି କିଟ ବିଶ୍ୱବିଦ୍ୟାଳୟର ପଦକ ତାଲିକାକୁ ୬ରେ ପହଂଚାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆଜି କାର୍ଯ୍ୟକ୍ରମରେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭବାନୀଦେବୀ ଓ ବିଭିନ୍ନ କୋଚମାନେ ମଧ୍ୟ ଉପସ୍ଥିତ ଥିଲେ ।